ମାନବିକତା ହରେଇ ବସିଲା ଜାତିପ୍ରଥା: ଶବକୁ ମିଳିଲାନି ଚାରି କାନ୍ଧ, ୨ ସ୍ତ୍ରୀ-ମା ଓ ବାପା ଦେଲେ କାନ୍ଧ

ନବରଙ୍ଗପୁର(କେନ୍ଯୁଜ୍): ଆଜିର ସଭ୍ଯ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି। ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ କାନ୍ଧ। ଶେଷ ରେ ୨ ସ୍ତ୍ରୀ, ବାପା ଓ ମା’ ଦେଲେ କାନ୍ଧ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମରେ । ଜାତିପ୍ରଥାକୁ ନେଇ ଶବଦାହ ନିମନ୍ତେ ଚାରି କାନ୍ଧ ଦେବାକୁ ଜାତିଭାଇ ଆସିଲେନି । ଅନ୍ଯ ସମ୍ପ୍ରଦାୟରୁ କାନ୍ଧ ଦେବାକୁ ଚାହୁଁଥିବା ଯୁବକଙ୍କୁ ମଧ୍ୟ ବାରଣ କରାଗଲା। ୟଶେଷରେ ବାଧ୍ୟ ହୋଇ ପରିବାରର ଜଣେ ପୁରୁଷଙ୍କ ସମେତ ଅନ୍ଯ ତିନିଜଣ ମହିଳା ଶବ କାନ୍ଧ ଦେବା ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏ ସବୁ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ପଞ୍ଚାୟତ ଯାନୀ ସାହିରେ ରହୁଥିବା ସାରଥୀ ଯାନୀଙ୍କ ପୁଅ ଜଗବନ୍ଧୁ ଯାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ପରିବାର ପକ୍ଷରୁ ଜଗବନ୍ଧୁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା। ଗତକାଲି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନାରେ ମୃତକ ଜଗବନ୍ଧୁଙ୍କ ସାନ ସ୍ତ୍ରୀ ଓ ମା’ ଥିବା ବେଳେ ଖବର ପାଇ ସାହାଯ୍ଯ କରିବା ପାଇଁ ଗ୍ରାମର ଅନ୍ଯ ସମ୍ପ୍ରଦାୟର ୩ ଯୁବକ ପରଦେଶୀ ସଗରୀଆ , ସରୋଜ ହିଆଲ ଓ ମନନ୍ତ ହିଆଲ ଆସି ପହଞ୍ଚିଥିଲେ। ସେମାନେ ଆସି ଆମ୍ବୁଲାନସ ଯୋଗାଡ କରି ଗାଁକୁ ଶବ ନେବା ବ୍ଯବସ୍ଥା କରିଥିଲେ। ଗାଁ ରେ ଶବ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଜାତିପ୍ରଥାର କଥା। ଅନ୍ଯ ସମ୍ପ୍ରଦାୟର ଯୁବକ ଶବକୁ ଛୁଇଁବା ଅଭିଯୋଗ କରି ଜାତି ଭାଇ ମାନେ ଶବ ସତ୍କାର କରିବା ପାଇଁ ରୋକଠୋକ୍‌ ମନା କରିଦେଇଥିଲେ । ଯାହା ସାହାଯ୍ଯ କରିଥିବା ଯୁବକ ମାନେ କହିଛନ୍ତି ।

ଉକ୍ତ ଯୁବକ ମାନେ କହିବା ମୁତାବକ, ଜାତି ଭାଇ ମାନେ ଶବ ସତ୍କାର କରିବା ପାଇଁ ମନା କରିବାରୁ ସେମାନେ ଆଗେଇ ଆସିଥିଲେ ଶବ ସତ୍କାର କରିବା ପାଇଁ। ତେବେ ସେମାନଙ୍କୁ ବି ସତ୍କାର କରିବା ପାଇଁ ସୁଯୋଗ ଦିଆଯାଇନଥିଲା। ଶେଷ ରେ ବାଧ୍ୟ ହୋଇ ମୃତକ ଜଗବନ୍ଧୁର ୨ ସ୍ତ୍ରୀ, ଜନ୍ମ କରିଲା ମା’ ଓ ବାପା ୪ କାନ୍ଧ ଦେଇ ଶବକୁ କୋକେଇରେ ମଶାଣୀକୁ ନେଇଥିଲେ। ସେଠାରେ ଜାତି ପରମ୍ପରା ଅନୁଯାୟୀ ଶବ ସତ୍କାର କରାଯାଇଥିଲା। ମୃତକ ଜଗବନ୍ଧୁଙ୍କ ୨ କୁନି କୁନି ପୁଅ ଶବକୁ ମୁଖାଗ୍ନୀ ଦେଇଥିଲେ। ପ୍ରକାଶ ଥାଉକି ଜଗବନ୍ଧୁ ବିଶାଖାପାଟନା ରେ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଘରକୁ ଗତ ସପ୍ତାହରେ ଫେରି ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.