ମର୍ସିଡିଜରୁ ୧୦ଲକ୍ଷ ଜବତ ଘଟଣା, IAS ବିଷ୍ଣୁପଦ ସେଠୀଙ୍କୁ CBI ସମନ
ଭୁବନେଶ୍ୱର : ମର୍ସିଡିଜରୁ ୧୦ଲକ୍ଷ ଜବତ ଘଟଣାରେ IAS ବିଷ୍ଣୁପଦ ସେଠୀଙ୍କୁ CBI ସମନ । ଦିଲ୍ଲୀ ସିବିଆଇରୁ ସମନ ଆସିଛି। ଗତ ୧୦ ତାରିଖରେ ସିବିଆଇ ସମନ ପଠାଇଥିଲା । ଟେଣ୍ଡର ଫିକ୍ସିଂରେ ଗିରଫ ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା । ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ । ବିଷ୍ଣୁପଦଙ୍କୁ ଗତ ୧୧ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ଏବେ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବରେ ଅଛନ୍ତି ବିଷ୍ଣୁପଦ ସେଠୀ । ତାଙ୍କୁ ଡ୍ରାଇଭର ମାନଙ୍କୁ ମଧ୍ୟ ସମନ କରିଛି ସିବିଆଇ । ସେ ଦାୟିତ୍ବରେ ଥିବା ବିଭିନ୍ନ ବିଭାଗରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କ ଠିକଣା ଏବଂ ମୋବାଇଲ ନମ୍ବର ରାଜ୍ୟ ସରକାରଙ୍କୁ ମାଗିଛି ସିବିଆଇ । ତେବେ ଏନେଇ ବିଷ୍ଣୁପଦଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଚଳିତମାସ ୭ତାରିଖରେ ସିବିଆଇ ଏକ ଗାଡ଼ିରୁ ୧୦ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର ଜବତ ଘଟଣାରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ‘ବ୍ରିଜ୍ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନୀ’ର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ ଓ ନୟାପଲ୍ଲୀସ୍ଥିତ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିମିଟେଡର ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି। ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଆର୍ଥିକ ଦେଣନେଣ ଥିବାର ପ୍ରମାଣ ମିଳିବା ପରେ ସିବିଆଇ ଆଜି ବିଷ୍ଣୁପଦ ସେଠୀଙ୍କ ଡ଼୍ରାଇଭରମାନଙ୍କ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଲୋଡ଼ିଛି ।