ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ଘଟଣା: ସାମ୍ନାକୁ ଆସିଲା ଲୁଟେରାମାନେ ଖସି ପଳାଉଥିବା ସମୟର ସିସିଟିଭି ଫୁଟେଜ

ଯାଜପୁର ରୋଡ୍: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ଗତ ଶନିବାର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ୟମ ସମୟରେ ଲୁଟେରାମାନେ ଖସି ପଳାଇ ଯାଉଥିବାବେଳେ ଗୁଳିକାଣ୍ଡର ଦ୍ରୁଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି । ପଣ୍ଡା ଅଳଙ୍କାରରୁ ସୁନା ଲୁଟି ଯେତେବେଳେ ଲୁଟେରା ମାନେ ବାଇକ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ସେତେବେଳେ ସାମ୍ନାରେ ଠିଆ ହୋଇଥିବା ବିଦ୍ୟୁତ୍ ବିଭାଗ ଗାଡିର ଡ୍ରାଇଭର ନୀଳମାଧବ ପଣ୍ଡା ଦୁଇ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବାବେଳେ ଲୁଟେରାଙ୍କ ସାର୍ଟକୁ ଘୋଷାରି ତଳକୁ ପକାଇ ଦେଇଥିଲେ । ଦୁର୍ବୁତ୍ତମାନଙ୍କ ସହ ସେ ମଧ୍ୟ ତଳେ ପଡି ଯାଇଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

ତେବେ ଦୁର୍ବୁତ୍ତ ମାନେ ତାଙ୍କ ବାଇକରୁ ଖସିପଳାଉଥିବାବେଳେ ନୀଳମାଧବଙ୍କ ସହ ପେଲାଠେଲାରେ ତଳେ ପଡିଯିବା ପରେ ଉକ୍ତ ସ୍ଥାନରୁ ପ୍ରଥମେ ଜଣେ ଡକାୟତ ଅନ୍ୟ ପଥଚାରୀଙ୍କ ବାଇକ୍ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା ଏବଂ ତାର ଜଣେ ସହଯୋଗୀ ଯିଏ ଧଳା ପୋଷାକଧାରୀ ତା ପଛରେ ଧାଇଁ ସେଠାରୁ ଖସି ପଳାଇବା ସମୟରେ ନୀଳମାଧବଙ୍କ ଉପରକୁ ଗୁଳି ମାଡ କରିଥିଲା । ଯେଉଁ ଗୁଳି ନୀଳମାଧବଙ୍କ ପେଟରେ ବାଜିଥିଲା । ପରେ ପରେ ଉକ୍ତ ଦୁଇ ଦୁର୍ବୁତ୍ତଙ୍କୁ ଉପସ୍ଥିତ ଲୋକେ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ହାତରୁ ଏକ ବ୍ୟାଗ୍ ଖସି ତଳେ ପଡିଯିବା ଦେଖିବାକୁ ମିଳିଛି ।

ପାଣିକୋଇଲି ପଣ୍ଡା ଅଳଙ୍କାରରୁ ସଶସ୍ତ୍ର ଡକାୟତି ମାମଲାରେ ଗତକାଲିଠୁ ପୋଲିସ୍ ତଦନ୍ତକୁ ଜୋରଦାର୍ କରିଛି । ଦିନ ତମାମ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ପ୍ରଥମେ ଘଟଣାସ୍ଥଳକୁ ସିଲ୍ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଆଙ୍ଗୁଳି ଛାପ ସହିତ ଜବତ ହୋଇଥିବା ଗୋଟିଏ ପିସ୍ତଲ, ୪ଟି ଗୁଳି, ୩ଟି ଖୋକା, ଛୁରୀ, କଇଁଚି ସହ ଡକାୟତଙ୍କ ବ୍ୟାଗରୁ ମିଳିଥିବା କିଛି କପଡାକୁ ଟେଷ୍ଟ ପାଇଁ ଲ୍ୟାବକୁ ପଠାଯାଇଛି । ତେବେ ଗତକାଲି ପୂର୍ବାହ୍ନରେ ସ୍ପେଶାଲ ଟ୍ୟାକ୍ସ ଫୋର୍ସ ଏସପି ରବି ନାରାୟଣ ଶତପଥୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଅଳଙ୍କାର ଦୋକାନ ନିକଟକୁ ଯାଇ ସେଠାରେ ତଦନ୍ତ ଆରମ୍ଭ କରିବା ପରେ ଫେରି ଯାଇଥିଲେ ।

ଅନ୍ୟପଟେ ପୋଲିସ ହେପାଜତରେ ଦୁଇ ଡକାୟତ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଦୁଇ ଅପରାଧୀ ସି.ଓମ୍ ଏବଂ ମଧୁକାନ୍ତ ସିଂର ଘର ବିହାର ଛାପ୍ରା ଜିଲ୍ଲାରେ ବୋଲି ଜଣାପଡ଼ଛି । ଉଭୟ ଅଭିଯୁକ୍ତଙ୍କ ଠାରୁ ଅନ୍ୟ ସହଯୋଗୀ ଅପରାଧୀଙ୍କ ସମ୍ପର୍କରେ ଗତକାଲି ଜେରା ବେଳେ ପୋଲିସକୁ କିଛି ତଥ୍ୟ ପ୍ରମାଣ ମିଳିଥିବା ବେଳେ ସେମାନଙ୍କର ଓଡିଶା ଲିଙ୍କ ଏବେ ଖୋଜୁଛି ପୋଲିସ୍ । ପାଣିକୋଇଲିରେ ଲୁଟର ଦେଢ ମାସ ପୂର୍ବରୁ ଡକାୟତି ଦଳ ଯାଜପୁର ରୋଡରେ ଭଡା ନେଇ ରହୁଥିବା ବେଳେ ଲୁଟ୍ ପାଇଁ ସମୟ ସୁଯୋଗ ଖୋଜୁଥିବା ପୋଲିସ ଜାଣିବାକୁ ପାଇଛି ।

ତେବେ ସୂଚନା ଥାଉକି, ଏହି ଘଟଣାରେ ପ୍ରାଣ ହରାଇଥିବା ସୁନୀଲ ରାୟ ଓ ନୀଳମାଧଵ ପଣ୍ଡାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଗୁରୁତର ଦୀପକ ସାହୁଙ୍କ ସମସ୍ତ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏଭଳି ଏକ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବାବେଳେ, ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ଯୋର ଧରିଛି ।