ମାଆ କୋଳରୁ ଶିଶୁପୁତ୍ର ଅପହରଣ ଘଟଣା, ସାମ୍ନାକୁ ଆସିଲା ଅପହରଣକାରୀର ସିସିଟିଭି ଫୁଟେଜ

ଭୁବନେଶ୍ବର: ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ର ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଚିତ୍ର । ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ସ୍ୱତନ୍ତ୍ର ଟିମ୍ ଗଠନ କରି ତନାଘନା ଚଳାଇଛି ପୋଲିସ । ଖାରବେଳ ନଗର ଥାନାରେ ମାମଲା ରୁଜୁ ପରେ ଚାଲିଛି ତଦନ୍ତ । ସିସିଟିଭି ଯାଞ୍ଚ ସହ ପଚରା ଉଚୁରା ଜାରି ରଖିଛି । କିନ୍ତୁ କୌଣସି ସନ୍ଧାନ ମିଳିପାରୁନାହିଁ । ଖଡଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ସିସିଟିଭି ଫୁଟେଜ ପଠାଯାଇଛି । ଟ୍ରେନ ଯୋଗେ ଅପହରଣକାରୀ ରାଜ୍ୟ ବାହାରକୁ ଶିଶୁଟିକୁ ନେଇଯାଇଥିବା ସନ୍ଦେହ କରାଯାଉଛି । ଏପଟେ ପୁଅକୁ ଝୁରି ଝୁରି ଦିବ୍ୟାଙ୍ଗ ମାଆ ଆଖିରୁ ଲୁହ ଶୁଖୁନି । ଗତ ପାଞ୍ଚ ବର୍ଷ ହେବ ଶିଶୁର ମାଆ ରାମ ମନ୍ଦିର ଆଗରେ ଭିକ୍ଷା ବୃତ୍ତି କରୁଛନ୍ତି ।
ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା । ବିସ୍କୁଟ, ଜୁସ୍ ଏବଂ ମୋବାଇଲ ଲୋଭ ଦଖାଇ ମାଆ କୋଳରୁ ଶିଶୁ ପୁତ୍ରକୁ ନେଇ ଚାଲିଗଲେ ଦୁର୍ବୃତ୍ତ । ଏଭଳି ଅଭିଯୋଗ ଆଣିଥିଲେ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟି ବାଧିତ ମହିଳା । ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଘଟଣା ।
ମହିଳା ଜଣକ ଏ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ । ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ଯେତେବେଳେ ନିଦ ଭାଙ୍ଗିଲା ଶିଶୁପୁତ୍ରଟିକୁ ସେ ପାଇନଥିଲେ । ଶିଶୁପୁତ୍ର ନିଖୋଜ ଥିବା ନେଇ ସେ ଥାନାରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନଭିନ ଆରମ୍ଭ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଚୋରି ଘଟଣାରେ ଅଭିଯୁକ୍ତର ଟେର ମିଳୁନି ।
ଆହୁରି ପଢ଼ନ୍ତୁ : ଗାଁ ମଝିରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ବାପା ମୃତ, ପୁଅ ଗୁରୁତର