ଚିଲିକାରେ ସି-ଏରୋଡ୍ରମକୁ ସିଡିଏର ନା

ଚିଲିକା (କେନ୍ଯୁଜ୍) : ଓ୍ଵାଟର୍ ଏରୋଡ୍ରମ୍ ଓ ସି-ପ୍ଲେନ ଚଳାଚଳ କଲେ କଣ ପଡ଼ିବ ପ୍ରଭାବ ? କିଏ ଓ କେତେ ମାତ୍ରାରେ ପ୍ରଭାବିତ ହେବେ ? ମତ ରଖିଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ । ଏୟାର ଏରୋଡ୍ରମକୁ ନାଁ କରିଛି । ୫ଟି କାରଣ ଦର୍ଶାଇଛି ସିଡିଏ । ଯେଉଁଥିରେ ଉଲ୍ଲେଖ ରହିଛି, କେଉଁଠାରେ ଓ୍ଵାଟର ଏରୋଡ୍ରମ୍ ହେବ ଓ ଏହାର ପରିଧି ସମ୍ପର୍କରେ ସିଡିଏକୁ କୌଣସି ସୂଚନା ଦିଆଯାଇ ନାହିଁ । ଚିଲିକାରେ ଓ୍ଵାଟର୍ ଏରୋଡ୍ରମ୍ ଓ ସି-ପ୍ଲେନ କାର୍ଯ୍ୟକ୍ଷମ ହେଲେ ହ୍ରଦର ଜୈବ ବିବିଧତା ଉପରେ ଗୁରୁତର ପ୍ରଭାବ ପକାଇବ । ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେବେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସଜୀବୀ ।

ସି-ପ୍ଲେନ୍ ଚାଲିଲେ ପାଖାପାଖି ୨ ଲକ୍ଷ ମତ୍ସଜୀବୀଙ୍କ ଜୀବନଜୀବିକା ଅନ୍ଧକାର ହୋଇଯିବ ବୋଲି କହିଛି ସିଡିଏ । ସେହିପରି ପରୋକ୍ଷ ଭାବରେ ଚିଲିକା ପାଖରେ ଥିବା ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୫୧ଟି ଗାଁ ଲୋକ ବି ପ୍ରଭାବିତ ହେବେ । ସେହିପରି ପ୍ରତିବର୍ଷ ଶୀତଋତୁରେ ଚିଲିକାକୁ ଆସନ୍ତି ୧୦ ଲକ୍ଷ ପକ୍ଷୀ । ୨୩୦ ପ୍ରଜାତିର ବିରଳ ପକ୍ଷୀଙ୍କ ଆଗମନ ହୁଏ । ୯୭ ପ୍ରଜାତିର ବିଦେଶାଗତ ପକ୍ଷୀ ଆସନ୍ତି । ସି-ପ୍ଲେନର ଶବ୍ଦରେ ପକ୍ଷୀଙ୍କ ଗମନାଗମନ ଓ ବିଚରଣରେ ସଙ୍କଟ ସୃଷ୍ଟି ହେବ । ଚିଲିକାରେ ଏବେ ୧୫୭ଟି ଡଲ୍ଫିନ୍ ଅଛନ୍ତି । ସି-ପ୍ଲେନ୍ ଉଡ଼ାଣ ଓ ଅବତରଣ କରିବା ବେଳେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେବ । ଯାହାକି ଡଲଫିନଙ୍କ ପକ୍ଷେ କ୍ଷତିକାରକ ହେବ । ଡଲଫିନ୍ ଦେଖିବା ପାଇଁ ଚିଲିକାକୁ ବହୁ ପର୍ଯ୍ୟଟକ ବି ଆସୁଛନ୍ତି ।

ଡଲଫିନଙ୍କ କ୍ଷତି ହେଲେ ଚିଲିକାରେ ପର୍ଯ୍ୟଟନ ଶିଳ୍ପ ବି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ସେହିପରି ସି-ପ୍ଲେନ ଚଳାଚଳ ଦ୍ୱାରା ଶବ୍ଦ ଓ ଜଳ କମ୍ପନ ବି ସାମୁଦ୍ରିକ ଜୀବଙ୍କ ପାଇଁ କାଳ ହେବ ବୋଲି କହିଛି ସିଡିଏ । ଏସବୁ ସମସ୍ୟାକୁ ଦିଗକୁ ଦୃଷ୍ଟିରେ ରଖି ସିଡିଏ କହିଛି, ଚିଲିକାରେ ସି-ପ୍ଲେନ୍ ଏବଂ ଓ୍ଵାଟର ଏରୋଡ୍ରମ୍ ହେଲେ ହ୍ରଦର ଜୈବ ବିବିଧତା ସାଂଘାତିକ ଭାବେ ପ୍ରଭାବିତ ହେବ । ଅପୂରଣୀୟ କ୍ଷତି ସହିବେ ଚିଲିକା ଉପରେ ନିର୍ଭରଶୀଳ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.