ମହିଳା ଓ ଶିଶୁ ବିକାଶ ଅଫିସରେ ଗର୍ଭବତୀଙ୍କୁ ସିଡିପିଓଙ୍କ ନିର୍ଯାତନା, ଜନ୍ମ ପୂର୍ବରୁ ଆଖି ବୁଜିଲା ଛୁଆ

ପଟ୍ଟାମୁଣ୍ଡାଇ : ‘ସମସ୍ତେ ହସ୍ପିଟାଲରୁ ନିଜ ଛୁଆକୁ ଧରି ଫେରୁଥିଲେ, ହେଲେ ମୁଁ ଯେମିତି ଏକୁଟିଆ ଯାଇଥିଲି ସେମିତି ଏକୁଟିଆ ହିଁ ଫେରିଲି’’ କୋଳ ଭରିଯିବା ପୂର୍ବରୁ ହେଇଗଲା କୋଳଶୂନ୍ୟ । ଏମିତି ସବୁ ଭାବି ଭୋ ଭୋ ହୋଇ କାନ୍ଦିଲେ ମହିଳା । ଆଉ ଏ କାନ୍ଦ ତାଙ୍କର ସେହି ଗର୍ଭ ନଷ୍ଟ ହେଇଯାଇଥିବା ପିଲା ପାଇଁ । ଯିଏ ଏ ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜି ଦେଇଛି । ହଁ ଆଜ୍ଞା ଏସବୁ ଭୋଗିଛନ୍ତି ଜଣେ ମହିଳା ଓ ଏହାର କାରଣ ବି ବନିଛନ୍ତି ଜଣେ ମହିଳା । ସିଡିପିଓଙ୍କ ନାଁରେ ବଡ଼ ଅଭିଯୋଗ । ସେ ଜଣେ ମହିଳା ହୋଇ ବି ଜାଣି ପାରିଲେନି ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା। ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କ କଷ୍ଟ ଦେଖି ତାଙ୍କ ହୃଦୟ ତରଳିଲା ନାହିଁ। ଆଉ ନିଜ ପଦ ତଥା କ୍ଷମତାର ଅପବ୍ୟବହାର କରି ନିଜର ଜଣେ ଅଧୀନସ୍ଥ ମହିଳା କର୍ମଚାରୀଙ୍କୁ ହଇରାଣ କଲେ । ଗର୍ଭ ଯନ୍ତ୍ରଣା ହେଉଥିବା ସତ୍ତ୍ବେ ତାଙ୍କୁ ମେଡିକାଲ ଯିବାକୁ ଅନୁମତି ଦେଲେନି। ଫଳରେ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ମହିଳା ଜଣକ । ଆଉ ବିଳମ୍ବରେ ହସପିଟାଲ ନେଲା ବଳକୁ ଶେଷରେ ଗର୍ଭରେ ହିଁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ।
ଏଠାରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥିଲେ। ମାତ୍ର ସେ ନିୟମିତ କାର୍ଯ୍ୟାଳୟ ଆସି କାମ କରୁଥିଲେ । ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ ଥିବା ବେଳେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି ବରଂ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ବର୍ଷା।
ସେଦିନ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡ଼ିଲେ । ସିଡିପିଓ ନଶୁଣିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା ଓ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ଏହାପରେ ବର୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ତେବେ ସିଡିପିଓଙ୍କ ନିର୍ଯାତନାରେ ପିଲାଟି ନଷ୍ଟ ହୋଇଯାଇଥିବା ପରିବାର ଲୋକେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଏନେଇ ସେଦିନର ଘଟଣାର ଏକ ଭିଡିଓ ଭାଇରଲ ହୋଇଥିଲା । ଏହି ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ ଡେରାବିଶ ସିଡିପିଓଙ୍କ ଅଫିସ ଚାମ୍ବରକୁ ଆସି ତଦନ୍ତ କରିଥିଲେ । ଅଭିଯୋଗ ସତ୍ୟତା ଥିଲେ ଖୁବ ଶୀଘ୍ର ସିଡିପିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୁତିରଞ୍ଜନ ପ୍ରଧାନ ।
ତେବେ ଏହାକୁ ନେଇ ବର୍ଷା କହିଛନ୍ତି, ବେଆଇନ କାମ କରିବାକୁ ମୋ’ ଉପରେ ଚାପ ପକାଉଥିଲେ । ମୁଁ ସେଥିରେ ରାଜି ହେଉ ନ ଥିବାରୁ ସେ ମୋତେ ଟାର୍ଗେଟ କରି ରାଗ ରଖୁଥିଲେ। ଆଉ ଘଟଣା ଦିନ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେ ମୋତେ ମେଡିକାଲ ଛାଡ଼ିଲେନାହିଁ। ତେଣୁ ସେ ହିଁ ମୋ’ ଛୁଆର ହତ୍ୟାକାରୀ। ତେଣୁ ସିଡିପିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବର୍ଷା। କିନ୍ତୁ ଏହାକୁ ନେଇ ସିଡିପିଓଙ୍କ ମତାମତ ମିଳି ପାରି ନାହିଁ । ଆଶ୍ଚର୍ଯ୍ୟ ଲାଗୁଛି କି ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ କାମ କରୁଛି ଏମାନଙ୍କ ମଙ୍ଗଳ ପାଇଁ । ଆଉ ସେହି କାର୍ଯ୍ୟାଳୟରେ ମହିଳାଙ୍କ ପ୍ରତି ଏଭଳି ଆଚରଣ ଅତ୍ୟନ୍ତ ନିନ୍ଦନୀୟ ଘଟଣା ।