ଇଦ ପର୍ବରେ ଗୋଲାପ ଫୁଲ ଦେଇ ମୁସଲମାନ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ

ଯାଜପୁର: ଆଜି ହେଉଛି ପବିତ୍ର ଇଦ-ଉଲ-ଫିତର । ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି କିଛି ଜିଲ୍ଲା । ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳନ କରୁଛନ୍ତି ମୁସଲମାନ ଧର୍ମାବଲମ୍ବୀ । ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ ରହି ସମୂହ ନମାଜ ପାଠ ହୋଇଛି । ସମ୍ପୂର୍ଣ୍ଣ ପାରମ୍ପରିକ ଭାବରେ କୁର୍ତ୍ତା, ପାଇଜାମା ଏବଂ ଟୋପି ପିନ୍ଧି ଏକତ୍ରିତ ହୋଇ ସମସ୍ତ ମୁସଲିମ ଭାଇମାନେ ଇଦ ପାଳନ କରିଛନ୍ତି । ଇସଲାମିକ ମାନ୍ୟତା ଅନୁଯାୟୀ, ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ ।

ଇଦ ପର୍ବ ପାଇଁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳ ଉତ୍ସବ ମୁଖର । ଆଜି ସକାଳୁ ସକାଳୁ ମୁସଲମାନ ଭାଇ ମାନେ ନୂତନ ବସ୍ତ୍ର ପରିଧାନ କରି ସ୍ଥାନୀୟ ଇଦଗାହ ଠାରେ ସମଵେତ ହୋଇ ସମୂହ ନମାଜ ପାଠ କରିଥିଲେ । ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ ପର୍ବର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୁସଲମାନ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଇଦଗାହ ପରିସରରେ ପହଂଚିଥିଲେ । ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ମୁସଲମାନ ଭାଇ ମାନଙ୍କୁ ଗୋଲାପ ଫୁଲ ଦେଇ ଇଦର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା। ସାଂସଦଙ୍କ ସହ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସମେତ ବହୁ ପଞ୍ଚାୟତ ଜନ ପ୍ରତିନିଧି ଓ ନେତୃମଣ୍ଡଳୀ ଉପସ୍ଥିତ ରହି ମୁସଲମାନ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ବିଶ୍ୱର ମଙ୍ଗଳ କାମନା ସହ ସମସ୍ତଙ୍କ ମଧ୍ୟରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା।

ତେବେ ଆଜିର ଇଦ୍ ସହ ଶେଷ ହେଲା ଦୀର୍ଘ ଏକ ମାସ ଧରି ଚାଲିଥିବା ଉପବାସ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରାଯାଇଥାଏ । ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଇଶ୍ବର ବର୍ଷ ଜାକର ପାପ କ୍ଷମା କରନ୍ତି ବୋଲି ଏବଂ ପୁଣ୍ୟ ମିଳିଥାଏ । ତେବେ ଉପବାସର ଅର୍ଥ ହେଉଛି ତୁମର ବିଶ୍ୱାସ ବଜାୟ ରଖିବା, ମନକୁ ଆସୁଥିବା ଖରାପ ଚିନ୍ତାଧାରାକୁ ତ୍ୟାଗ କରିବା, ପାପ କାମଠାରୁ ଦୂରେଇ ରହିବା ।

 

Also Read:ହଷ୍ଟେଲ ଭିତରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ଚୋରିର ଭିଜୁଆଲ କଏଦ