ସୋର: ବିଚ୍ ରାସ୍ତାରେ ଜମିଛି ଗହଳି । ଚାଲିଛି ହୋ ହଲ୍ଲା । ଜଣେ ମହିଳାଙ୍କୁ ଘେରିରହିଛନ୍ତି ସଭିଏଁ । କଣ କିଛି ଗୋଟେ ଘଟଣା ଘଟିଛି ନିହାତୀ । ପାଖକୁ ଯାଇ ଦେଖିଲା ବେଳକୁ ଜଣାପଡିଲା କି, ମହିଳାଙ୍କ ଠାରୁ ଲୁଟ୍ ହେଇଛି ସୁନା ଅଳଙ୍କାର।
ଏବେ ଚାରିଆଡେ ଚାଲିଛି ଲୁଟେରାଙ୍କ ରାଜ୍ । ଗଳି କନ୍ଦି ସବୁ ଆଡେ ପଇଁତରା ମାରୁଛି ପୋଲିସ୍ ତଥାପି ନା ଅଛି ଡର ନା ଖାତିର୍ । ଯେଉଁଠି ଟିକେ ସୁଯୋଗ ପାଉଛନ୍ତି ନିଜର କଳା କାରନାମା ଦେଖାଉଛନ୍ତି । କେତେବେଳେ କାହା ଡିକି ଭାଙ୍ଗି ଲୁଟ୍ କରୁଛନ୍ତି ତ କେତେବେଳେ କାହା ଦୋକାନ ଭିତରେ ପଶି ଲୁଟୁଛନ୍ତି । କେଉଁଠି ଛୁରୀ ଲଗାଇ ପର୍ସ ନେଇଯାଉଛନ୍ତି ତ କେଉଁଠି ଝାମ୍ପି ନେଉଛନ୍ତି ବେକରୁ ଚେନ୍ । ତେବେ ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳୁଛି । ବାଲେଶ୍ୱର ଜିଲ୍ଲାରେ ।
ବିଚ୍ ସହରରୁ ମହିଳାଙ୍କ ବେକରୁ ସୁନା ହାର ଓ କାନରୁ କାନଫୁଲ ଝାମ୍ପି ନେଲେ ଦୁଇ ଲୁଟେରା । ପାଖାପାଖି ୩୧ ଗ୍ରାମର ସୁନା ହାର ଲୁଟ୍ ହୋଇଥିବାବେଳେ, କାନଫୁଲକୁ କାନରୁ ଛିଣ୍ଡାଇ ନେଇଛନ୍ତି । ଏମିତି ନୃଶଂସ ଭାବେ ମହିଳାଙ୍କଠାରୁ ସୁନା ଅଳଙ୍କାରା ଲୁଟି ନେଇଛନ୍ତି ଯେ ମହିଳା ଜଣଙ୍କ କାନ ଛିଣ୍ଡିଯାଇଛି । ଲୁଟ୍ ପରେ ମହିଳା ଜଣକ ବାଇକରୁ ଖସିପଡ଼ିବାରୁ ତାଙ୍କୁ ଗଭୀର ଭାବେ ଆଘାତ ଲାଗିଛି ।
ଯାହା ଖବର ମିଳିଛି କି, ପୌରପାଳିକା କମାଣପୁର ସୁମତି ପଳେଇ, ନିଜ ସ୍ୱାମୀ ବିମ୍ବାଧର ପଲେଇ ସହିତ ଉତ୍ତରେଶ୍ୱର ଯିବା ବେଳେ ମଦେଖାଁ ଛକରେ ଲୁଟର ଶୀକାର ହୋଇଛନ୍ତି । ଲୁଟେରା ମାନେ ସୁନା ଅଳଙ୍କାର ଧରି ଦୃତ ଗତିରେ ଜାତୀୟ ରାଜପଥ ଦିଗକୁ ଖସିଗଲେ ବୋଲି କୁହାଯାଉଛି ।
ଏପଟେ ଲୁଟେରା ଦୁଇ ଜଣ ବାଇକରେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ପିଛା କରିଥିଲେ । ତାପରେ ସୁଯୋଗ ପାଇ ନିଜ କାରନାମା କରି ଚମ୍ପଟ ମାରିଥିଲେ । ଘଟଣାପରେ ଗାଡିରୁ ପଡିଯାଇ ଆହତ ମହିଳା, ତାଙ୍କ ପୁଅ ଓ ସ୍ୱାମୀଙ୍କୁ ସୋର ମେଡ଼ିକାଲରେ ଚିକିତ୍ସା ପାଇଁ ନିଆଯାଇଥିଲା । ଏନେଇ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପୋଲିସ୍ ପହଁଚି ତନାଘନା ଚଳାଇଛି ।