ବଦଳି ପାଇଁ ଅଧ୍ୟକ୍ଷ କରୁଥିଲେ ଗୁଣି ଗାରେଡ଼ି, ଭିଡିଓ ହେଉଛି ଭାଇରାଲ

ଭଦ୍ରକ : ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ଅଧ୍ୟକ୍ଷକଙ୍କ ଏପରି ଭିଡିଓ । ସିସିଟିଭି ଫୁଟେଜ୍ ରେ ହୋଇଛି କଏଦ୍ । ଯାହାକୁ ଦେଖିବା ପରେ ଆପଣ କହିବେ ଏସବୁ କଣ ? ଟିକିଏ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ଶହିଦ୍ ମେମୋରିଆଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଦୃଶ୍ୟ ।

ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳିଛି ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣକ ସ୍ତ୍ରୀକୁ ସେହି ସ୍ଥାନରେ ଠିଆ କରାଇ ଉକ୍ତ ବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକ ଗାତ ଖୋଳି ସାଥିରେ ଆଣିଥିବା ଲେମ୍ୱୁ,ଗୁଆ,ପଇସା ଓ ଫୁଲ ପୋତି ଦେଉଛନ୍ତି । ଆପଣ ଭାବୁଥିବେ ଏସବୁ ଜିନିଷ କାହିଁକି ମାଟି ଖୋଳି କାହିଁକି ପୋତୁଛନ୍ତି ? ଯାହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ପ୍ରଧାନଶିକ୍ଷକ ଭୋଳାନାଥ ବାରିକ୍ ନିଜର ସ୍ଵାର୍ଥ ପାଇଁ ବିଦ୍ୟାଳୟ ପରିସରରେ ଗୁଣିଗାରେଡି କରିବା ନେଇ ଅଭିଯୋଗ ଆସିଛି । ଫଳରେ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଏହି ଘଟଣାକୁ ୮ ଦିନ ବିତିଯାଇଥିଲେ ବି ଏବେ ଏହି ଭିଡିଓ ସମସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଘଟଣାକୁ ନେଇ ଯେତେବେଳେ ପ୍ରଧାନଶିକ୍ଷକ ଶ୍ରୀ ବାରିକଙ୍କୁ ପଚରାଯାଇଥିଲା ସେ କ୍ୟାମରୋ ସାମ୍ନାରେ ନ କହିଥିଲେ ମଧ୍ୟ ବାହାରେ କହିଛନ୍ତି, ଯେ ମୁଁ ଏହି ବିଦ୍ୟାଳୟରୁ ବଦଳି ହେବାକୁ ଚାହୁଁଛି । ସେଥିପାଇଁ ନିଜେ ପ୍ରଧାନଶିକ୍ଷକ ଓ ତାଙ୍କ ସ୍ତ୍ରୀ ଆସି ଉକ୍ତ ବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକ ଗାତ ଖୋଳି ସାଥିରେ ଆଣିଥିବା ଲେମ୍ୱୁ,ଗୁଆ,ପଇସା ଓ ଫୁଲ ପୋତି ଦେଇଥିଲେ ।

ପରେ ଏହି ଘଟଣା କୌଣସି କର୍ମଚାରୀ ଦେଖିନଥିଲେ କି ଜାଣିନଥିଲେ । ଉକ୍ତ ସାମଗ୍ରୀ ପୋତିଥିବା ସ୍ଥାନରେ ଉକ୍ତ ବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ନିତ୍ୟାନନ୍ଦ ବିଶ୍ଵାଳ ପରିସ୍ରା କରିଦେଇଥିଲେ । ପରଦିନ ସେ ବିଦ୍ୟାଳୟକୁ ଆସୁଥିବା ସମୟରେ ମୁଖ୍ୟ ଫାଟକ ନିକଟ ରାସ୍ତା ଉପରେ ହଠାତ ତଳେ ପଡିଯାଇ ଚିତ୍କାର କରିଥିଲେ । ଏପରିକି ଶ୍ରୀ ବିଶ୍ଵାଳଙ୍କ ମତିଭ୍ରମ ହେଲା ପରି ସେ ବିଭିନ୍ନ କଥା କହିବା ଆରମ୍ଭ କରିଥିଲେ ।ଘଟଣାସ୍ଥଳରେ ସାଥି କର୍ମଚାରୀ ପହଞ୍ଚି ଶ୍ରୀ ବିଶ୍ଵାଳଙ୍କୁ ପାଣି ଛାଟି ଏକ ସ୍ଥାନରେ ବସାଇବା ପରେ ସେ ସୁସ୍ଥ ଅନୁଭବ କରିଥିଲେ।ପରେ ବିଦ୍ୟାଳୟ କର୍ମଚାରୀଙ୍କ ସନ୍ଦେହ ହେବାରୁ ସିସି ଟିଭି କ୍ୟାମେରା ଦେଖିବା ପରେ ସମସ୍ତ ଘଟଣା ସିସିଟିଭିରୁ ଜାଣିବାକୁ ପାଇ ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ ।ଏନେଇ ପ୍ରଧାନ ଶିକ୍ଷକ କ୍ୟାମେରା ସାମ୍ନାରେ କହିଥିଲେ, ଆମ ମଧ୍ୟରେ ସମାଧାନ ହୋଇଯାଇଛି ଏଭଳି ଆଉ କେବେ ହେବ ନାହିଁ ।