ଭିନ୍ନ ଏକ ପରମ୍ପରା, ପାରଳାଖେମୁଣ୍ଡି ଗଜମୁଆଁ ପର୍ବ

ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି । ତେବେ ପାରଳାଖେମୁଣ୍ଡି ସହରର ଗଜମୁଆଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ କଟିକିଆ ସାହିର ଗଜମୁଆଁ କିଛି ନିଆରା ହୋଇଥାଏ । ଚୈତ୍ରମାସର ଅନ୍ୟ ମଙ୍ଗଳବାର ଅପେକ୍ଷା ଶେଷ ମଙ୍ଗଳବାରର ଗଜମୁଆଁର ରହିଛି ସ୍ବତନ୍ତ୍ରତା । ଲିଆ, ଗୁଡରେ ପ୍ରସ୍ତୁତ ଗଜମୁଆଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପାଇଥାନ୍ତି ।
ମୁଆଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ଜଣେ ଏହି ବାଜା ଶୁଣିବା ଦ୍ବାରା ତାର ଗୋଡ ଆପେଆପେ ସେହି ସ୍ଥାନକୁ ଟାଣିନେବା ସହ ମୁଆଁଧାରୀଙ୍କ ସହ ନାଚିବାକୁ ବାଧ୍ୟ କରିବ । ଏହି ପରମ୍ପରାକୁ ପାଳନ କରିବା ପାଇଁ କଟିକିଆ ସାହିର ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି । ସମସ୍ତେ ରାତି ତମାମ ବୁଲିବା ସହ ବୁଧବାର ସକାଳେ ଏହାକୁ ବିସର୍ଜନ କରିବା ପରେ ଘରକୁ ଫେରିଥାନ୍ତି । ଏଥିରେ ପିଲା ଠାରୁ ବୁଢା ସମସ୍ତେ ସାମିଲ ହୋଇ ମଜା ଉଠାଇଥାନ୍ତି । ତେଣୁ ବଡ ମାନଙ୍କ ପାଇଁ ବଡ ଏବଂ ଛୋଟ ପିଲାଙ୍କ ପାଇଁ ସାନ ମୁଆଁ ପ୍ରସ୍ତୁତ କରାଯାଇଥାଏ ।
ବହୁ ବର୍ଷ ତଳେ ପାଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଏଠାକାର ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁଆଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ତେଣୁ ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । ମାଁଙ୍କୁ ଶୀତଳ ନଦେଲେ ପୁଣିଥରେ କୌଣସି ପ୍ରକାର ଅଘଟଣ ଘଟିବ ବୋଲି ଲୋକଙ୍କ ଆଶଙ୍କାରେ ପ୍ରତିବର୍ଷ ଏହି ପୂଜା ଯାଉଥିବା କହିଛନ୍ତି ପୂଜକ ।
ଆଧୁନିକତାର ଛାପରେ ଅନେକ ପରମ୍ପରା ଓ ସଂସ୍କୃତି ଲୋପ ପାଇଯାଇଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । ହେଲେ ପାରଳାଖେମୁଣ୍ଡି ସହରର ଲୋକେ ହଜାର ହଜାର ବର୍ଷ ଧରି ନିଜ ପରମ୍ପରାକୁ ପ୍ରତିବର୍ଷ ଅଧିକ ଧୁମ ଧାମରେ ପାଳନ କରିବା ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ।
Also Read:ଛାତ୍ରୀମାନଙ୍କ ପାଇଁ ଋଷ ସରକାରଙ୍କର ବଡ଼ ଅଫର, ପିଲା ଜନ୍ମ କରନ୍ତୁ ଏବଂ ୧ ଲକ୍ଷ ଟଙ୍କା ପାଆନ୍ତୁ!