ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଓଡ଼ିଶା ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଆହୁରି ଦୁଇ ଦିନ କାଳବୈଶାଖୀ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ହେଲେ ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି । ସେହିପରି ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ୧୩ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅନ୍ୟପଟେ ବୌଦ୍ଧ ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି । ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋରାପୁଟ, ରାୟଗଡ଼ା, ଦେବଗଡ଼, କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ସର୍ବାଧିକ ୩୦ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାର ବିଷମକଟକରେ ୨୭.୪, କୋଲନରାରେ ୨୧.୩, ରାୟଗଡ଼ାରେ ୧୭.୮ ମିମି ବର୍ଷା ରେକର୍ଡ କରାଯାଇଛି ।
ଆହୁରି ପଢ଼ନ୍ତୁ : କାଲିଠୁ ୧୩ ଯାଏ ବର୍ଷା, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳକୁ ଗତି କରିବ ଲଘୁଚାପ