ଅକ୍ଷୟ ତୃତୀୟାରୁ ୨୨ ଦିନ ପର୍ଯ୍ୟନ୍ତ ପାଳିତ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଏକାମ୍ରକ୍ଷେତ୍ରର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପାଳିତ ହେଉଛି ପବିତ୍ର ଚନ୍ଦନ ଯାତ୍ରା ପର୍ବ। ଅକ୍ଷୟ ତୃତୀୟା ଠାରୁ ଏହା ଦୀର୍ଘ ୨୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଅକ୍ଷୟ ତୃତୀୟା ଉତ୍କଳର ଏକ ବିଶିଷ୍ଟ କୃଷି ଭିତ୍ତିକ ପର୍ବ ସହ ଏହିଦିନ ଯେକୌଣସି ସମୟରେ ଆପଣ ଯାହା କଲେ ତାହା ଶୁଭ ମନାଯାଏ। ଏହି ତିଥିରୁ ପୁରୀ ଶ୍ରୀ ମନ୍ଦିରରେ ଚନ୍ଦନ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ ଏକାମ୍ର କ୍ଷେତ୍ର ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଏହା ୨୨ଦିନ ପର୍ଯ୍ୟନ୍ତ ଚାଲିଥାଏ।

ଉତ୍କଳୀୟ ପରମ୍ପରାକୁ ସମ୍ମାନ ଜଣାଇ ସାରା ଓଡ଼ିଶାରେ ଏହି ପର୍ବକୁ ନେଇ ଠାକୁରଙ୍କ ଚଳନ୍ତି ପ୍ରତିମା ଘେନି ଚାପ ଖେଳ ମାନେ ଠାକୁରଙ୍କ ନୌଯାତ୍ରା ଆରମ୍ଭ ହୁଏ। ‘ଏକାମ୍ର ଚନ୍ଦ୍ରିକା’ରେ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନୋତ୍ସବ ଏହି ଦିନରୁ ଆରମ୍ଭ ହୁଏ ବୋଲି ଉଲ୍ଲେଖ ଅଛି ।

ଯାତ୍ରାର ପ୍ରଥମ ଦିନ ଅର୍ଥାତ ଅକ୍ଷୟତୃତୀୟାରେ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପୁନଃ ସୂର୍ଯ୍ୟପୂଜା ଓ ଦ୍ବାରପାଳ ନୀତି କରାଯାଇ ଶ୍ରୀଜିଉଙ୍କୁ ପଙ୍ଖା ଲାଗି କରାଯାଏ। ଯାହା ପୂଜାପଣ୍ଡା ଓ ପାଳିଆ ବଡୁ ସମ୍ପାଦନା କରନ୍ତି । ଠାକୁରଙ୍କର ମହାସ୍ନାନ ଏବଂ ପୂର୍ବରୁ ଘୋରାଯାଇଥିବା ଚନ୍ଦନ ପାତ୍ରକୁ ଧରି ବେଢ଼ା ପରିକ୍ରମା କରନ୍ତି ପୂଜାପଣ୍ଡା। ପାଳିଆ ପଛୁଆ ମାନେ ସମଥା ସଙ୍ଗରେ ଥାଆନ୍ତି । ସ୍ନାନ ପରେ ଚନ୍ଦନ ପୂଜା ପଣ୍ଡା ଠାକୁରଙ୍କ ଅଙ୍ଗରେ ପ୍ରଲେପ କରନ୍ତି । ତା’ ପରେ ପାଳିଆ ବେଶ କରାନ୍ତି ଓ ପଣା ଭୋଗ କରାଯାଏ । ପରେ ବଲ୍ଲଭ ଭୋଗ ହୋଇ ନୌବିହାର ଉଦ୍ଦେଶ୍ୟରେ ଚଳନ୍ତି ପ୍ରତିମାମାନଙ୍କୁ ବିଜେ କରାଯାଏ ।ଏହି ଚଳନ୍ତି ପ୍ରତିମା ସବୁ ହେଲେ ଶ୍ରୀଲିଙ୍ଗରାଜ , ଦୁର୍ଗା, ପାର୍ବତୀ ଓ ବାସୁଦେବ । ବିଜେ ପ୍ରତିମାମାନେ ବିମାନ ଓ ପାଲିଙ୍କିରେ ନାଟମନ୍ଦିରରେ ରୁହନ୍ତି । ପରେ ଦ୍ବିପ୍ରହର ସମୟରେ ଧୂପ ହୋଇ ପହଡ଼ କରାଯାଏ। ସ୍ଵତନ୍ତ୍ର ଦ୍ଵାରପାଳ ପୂଜା, ସୂର୍ଯ୍ୟପୂଜା ଓ ମହାସ୍ନାନ କେବଳ ଅକ୍ଷୟ ତୃତୀୟା ଦିନ ହୁଏ।

chandan jatra

ଚାପରେ ବିଜେ ଥିବା ଅବସ୍ଥାରେ ପ୍ରଥମେ ପୂଜାପଣ୍ଡା ଜଗତୀକୁ ଯାଇ ଛେରାପକା ବିଧି ନିର୍ବାହ କରି ଫେରିଲେ, ଜଗତି ଚୂଡ଼ାରେ ପାଳିଆ ସମର୍ଥା ସେବାୟତଙ୍କ ଦ୍ୱାରା ବାନା ଚଢାଯାଏ ଓ ଠାକୁରମାନଙ୍କୁ ଜଗତୀକୁ ନିଆଯାଏ। ଜଗତୀରେ ଏକ ସ୍ଥାୟୀ ମଣ୍ଡପରେ ଠାକୁରମାନଙ୍କୁ ବିଜେ କରାଇ ମୁଆଁ ଭୋଗ କରାଯାଏ ଓ ପରେ ଆଣି ‘ଚନ୍ଦନକୁଣ୍ଡ’ରେ ବେକ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଏ । ଏହି ପର୍ଯ୍ୟନ୍ତ ବିଧିକୁ ‘ଦିନଚାପ’ କୁହାଯାଏ । ଠାକୁରମାନେ ଥାଇ ସେବାୟତମାନେ ଚାପରେ କୂଳକୁ ଆସନ୍ତି ଏବଂ କେବଳ ପର୍ବଯାତ୍ରା ବିଶୋୟୀ ଜଗତୀରେ ତାଙ୍କ ସହାୟକଙ୍କ ସହ ରହି ଭୋଗ ପ୍ରସ୍ତୁତ କରନ୍ତି ।

‘ରାତିଚାପ’ ପାଇଁ ସେବାୟତମାନେ ମନ୍ଦିରରେ ସଂଧ୍ୟାଧୂପ ସାରିବା ପରେ ଚାପରେ ଜଗତୀକୁ ଯାଆନ୍ତି । ସେଠାରେ ପ୍ରତିମାମାନଙ୍କୁ ଚନ୍ଦନକୁଣ୍ଡରୁ ବାହାର କରି ସଫା ବସ୍ତ୍ର ପିନ୍ଧାଯାଏ ଓ ସିଂହାସନରେ ବିଜେ କରାଯାଏ। ସେଠାରେ ମାଣ୍ଡୁଅ, କାକରା ଓ ସୌଧୁଅ ଇତ୍ୟାଦି ଭୋଗ କରାଯାଏ। ପୁନଶ୍ଚ ଚାପରେ ଆସୀନ କରାଇ ବିଶ୍ରାମଘାଟକୁ ଅଣାଯାଏ ଏବଂ ବିଶ୍ରାମ ମନ୍ଦିରର ସିଂହାସନକୁ ଠାକୁରଙ୍କୁ ବିଜେ କରାଯାଏ। ପୂର୍ବରୁ ସିଂହାସନ ଶୋଧ କରାଯାଇଥାଏ ଏବଂ ବିମାନ ଓ ପାଲିଙ୍କି ରାସ୍ତାପଟେ ଆଣି ବିଶ୍ରାମ ଘାଟରେ ପ୍ରସ୍ତୁତ ରଖାଯାଇଥାଏ। ବିଶ୍ରାମ ମନ୍ଦିରରେ ଠାକୁରମାନଙ୍କୁ ମୁଆଁ ଭୋଗ ଲାଗି ହୋଇ ଆଳତି ହୁଏ। ଏହାପରେ ସେମାନଙ୍କୁ ଯଥାକ୍ରମେ ବିମାନ ଓ ପାଲିଙ୍କିକୁ ଆଣିବା ପରେ ବିଶ୍ରାମ ଘାଟର ପାହାଚ ଉପରେ ଠିଆ ହୋଇ ସେବକମାନେ ଆଉ ଏକ ମୁଆଁ ଭୋଗ କରିଥାଆନ୍ତି। ଏହାକୁ ‘ଚିକିଟି ଭୋଗ କୁହାଯାଏ।

ଚାପରୁ ଫେରିବା ସମୟରେ ଶୋଭାଯାତ୍ରା ହୁଏ । ବାଟରେ ମା’ କପାଳୀ ମା ରାମାୟଣୀଙ୍କ ମନ୍ଦିର ତଥା ବଢ଼େଇବାଙ୍କ ଛକ, ବଡୁ ନିଯୋଗ ସମ୍ମୁଖରେ ଠାକୁରମାନଙ୍କୁ ପଂକ୍ତି ଭୋଗ ଅର୍ପଣ ହୁଏ । ଏହି ସମୟରେ ପଟୁଆର ହୁଏ । ଏହା ଏକ ନୃତ୍ୟ ଯାହାର ମୁଖ୍ୟ ଆକର୍ଷଣ ଗୋଟିପୁଅ ନାଚ। ପୂର୍ବରୁ କାଳୀ ନାଚ ଓ ନାଗାନାଚ ମଧ୍ୟ ହେଉଥିବାର ଦେଖାଯାଇଛି।

ଚନ୍ଦନଯାତ୍ରାର ୨୧ ଦିନକୁ ଭଉଁରୀ କୁହାଯାଏ। ଏହିଦିନ ଚାପ ପରେ ସମୁଦାୟ ୧୬ ଥର ଭଉଁରୀ କାଟି ମହାପ୍ରଭୁଙ୍କୁ ବିନ୍ଦୁସାଗର ପୂର୍ବତଟରେ ସ୍ଥିତ ଏକ ଘାଟକୁ ଭୋଗ ଖାଇବା ପାଇଁ ନିଆଯାଏ। ଯାହା ବିନ୍ଦୁସାଗର ପୂଷ୍କରିଣୀର ଉତ୍ତର-ପୂର୍ବ ଦିଗରେ ସ୍ଥିତ ମହାପାତ୍ର ପରିବାରର ନିଜସ୍ୱ ଭୋଗ । ଏହାପରେ ପୂର୍ବତଟରେ ସ୍ଥିତ ମା ଦୁଆର ବସିନୀଙ୍କ ଘାଟ ଦେଇ ଜଗତୀକୁ ନିଆଯାଏ।

siba

ଚନ୍ଦନଯାତ୍ରାର ଅନ୍ତିମ ଦିନ ବା ୨୨ତମ ଦିନକୁ ହଳଦୀପାଣି କୁହାଯାଏ। ଏହିଦିନ ‘ରାତିଚାପ’ ପରେ ମା ମୋହିନୀ ଘାଟ ଓ ବଡୁସାହି ଘାଟର ମା ଅଖଡା ଚଣ୍ଡୀଙ୍କ ସମ୍ମୁଖ ହୋଇ ବିଶ୍ରାମ ଘାଟରେ ପହଞ୍ଚନ୍ତି ମହାପ୍ରଭୁ। ସେଠାରେ ଠାକୁରମାନେ ବିଶ୍ରାମ ମନ୍ଦିରରେ ଅବସ୍ଥାନ କାଳରେ ପାଳିଆବଡ଼ୁଙ୍କଠାରୁ ହଳଦୀ ଓ ଚନ୍ଦନ ନେଇ ପତ୍ରୀ ସେବକ ତରଳ ଲେପ ପ୍ରସ୍ତୁତ କରନ୍ତି । ତାହାକୁ ମନ୍ତ୍ରପୂତ କରି ପୂଜାପଣ୍ଡା ଠାକୁରମାନଙ୍କ ଶରୀରରେ ସିଞ୍ଚନ କରନ୍ତି। ପରେ ଏହା ସେବକମାନଙ୍କ ଉପରେ ଓ ବିଶ୍ରାମ ଘାଟ ପାବଚ୍ଛରୁ ସିଂହାସନ ପର୍ଯ୍ୟନ୍ତ ସିଞ୍ଚନ କରାଯାଏ। ମନ୍ଦିରକୁ ଫେରିବା ବାଟରେ, ମା କପାଳୀ, ମା ରାମୟଣୀ ଓ ବଡୁ ନିଯୋଗ ସମ୍ମୁଖରେ ଭୋଗ ପଂକ୍ତି ଭୋଗ ହେବାପରେ, ଶିବତୀର୍ଥ ମଠ ନିକଟ ଦୋଳବେଦୀରେ ଏକ ଅଧିକ ଭୋଗ ହୁଏ। ଏହି ସମୟରେ ଲିଙ୍ଗରାଜ, ପାର୍ବତୀ ଓ ଦୁର୍ଗାଙ୍କୁ ବିମାନରୁ ଓହ୍ଲାଇ ଦୋଳ ବେଦୀ ଉପରିସ୍ଥ ଏକ ଖଟୁଲିରେ ବିଜେ କରାଯାଏ। ଏଠାରେ ବାସୁଦେବ ଓ କପିଳନାଥଙ୍କ ବିଜେ ପାଇଁ ଚାପରୁ ଅଣାଯାଇଥିବା କାଷ୍ଠାସନକୁ ବ୍ୟବହାର କରାଯାଏ । ଏହି ଆଣିବା କାମ ମହାସୁଆର ଓ ଖୁଣ୍ଟିଆ ସେବକମାନେ କରିଥାନ୍ତି। ପ୍ରତିମାମାନେ ବିମାନ ଓ ପାଲିଙ୍କିରେ ବସି ମନ୍ଦିରକୁ ଫେରନ୍ତି। ସେହି କାଷ୍ଠାସନ ଦୁଇଟିକୁ ସଂପୃକ୍ତ ସେବକମାନେ ପାଉଣା ଭାବେ ନେଇ ଥାଆନ୍ତି।

 

ସେହିପରି ପୂର୍ବରୁ କପିଳେଶ୍ୱର ମନ୍ଦିରରୁ କପିଳନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ଆସିବା ପରେ ପୂର୍ବରୁ ପ୍ରସ୍ତୁତ ପ୍ରତିମାମାନଙ୍କୁ ମଣେଇ ଚନ୍ଦନଯାତ୍ରା ପାଇଁ ଶୋଭାଯାତ୍ରା ହୁଏ । ବ୍ରହ୍ମାଘାଟ ମାନେ ଅନନ୍ତ ବାସୁଦେବ ମନ୍ଦିର ସାମ୍ନା ରେ ସମସ୍ତ ଠାକୁରଙ୍କୁ ଚାପରେ ରଖି ଚାପଖେଳ ଆରମ୍ଭ ହୁଏ । ବିନ୍ଦୁ ସାଗରରେ ଚାପ ଖେଳି ଠାକୁରମାନେ ପ୍ରଥମେ ଜଗତୀକୁ ଯାଆନ୍ତି । ସେଠାରେ ନୀତିକାନ୍ତି ଶେଷ ହେବା ପରେ ବିଶ୍ରାମ ଘାଟକୁ ଯାଇ ସେଠାରେ ବିମାନ ଓ ପାଲିଙ୍କି ଆରୋହଣ କରି ବଡ଼ଦାଣ୍ଡ ଦେଇ ମନ୍ଦିରକୁ ଫେରନ୍ତି ।

କିନ୍ତୁ ଏବେ ସ୍ଥିତି ରହିଛି ସମ୍ପୁର୍ଣ୍ଣ ଭିନ୍ନ। ବିଗତ ୨୦୧୫ ମସିହାରୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରାରେ ଯୋଗ ଦେଉନାହାନ୍ତି ଶ୍ରୀ କପିଳେଶ୍ୱର। ବିଗତ ବର୍ଷମାନଙ୍କରେ ବାବା ଶ୍ରୀ କପିଳେଶ୍ୱରଙ୍କୁ, କପିଳେଶ୍ୱର ମନ୍ଦିର ସଂଲଗ୍ନ ପୁଷ୍କରିଣୀରେ ସ୍ଵତନ୍ତ୍ର ଚାପ ଖେଳା ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.