କେତେବେଳେ ଆଲୁଅ ତ କେତେବେଳେ ଅନ୍ଧାର : ଭଦ୍ରକ ଚାନ୍ଦବାଲିର ୪୫ଟି ପଞ୍ଚାୟତ ଲୋକ ବିଜୁଳି ସମସ୍ୟାରେ

ଚାନ୍ଦବାଲି (କେନ୍ୟୁଜ୍) :  ଘଣ୍ଟାଏ ରହିଲେ ୨ଘଣ୍ଟା ନାହିଁ । ଆଉ ବର୍ଷା କି ପବନ ହେଲେ କଥା ସରିଲା ରାତି ରାତି ଅନ୍ଧାର । ଆଉ ବିଦ୍ୟୁତ କାଟର ଉତ୍ତର ମାଗିଲେ ନଥାଏ ବିଦ୍ୟୁତ ବିଭାଗ ପାଖରେ । ଏମିତି ଅବସ୍ଥା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ । ଏଠି ବିଦ୍ୟୁତ ସମସ୍ୟା ପହଞ୍ଚିଛି ଚରମ ସୀମାରେ । ସମସ୍ୟାଟି ସିନା ଲୋକଙ୍କ ଦେହସୁହା ହୋଇଗଲାଣି । ତେବେ ବିଜୁଳି ବିନା ଯେ ବର୍ତ୍ତମାନ ଯୁଗରେ ଚଳିବା କେତେ ଯନ୍ତ୍ରଣାଦାୟକ ସେକଥା ଅଙ୍ଗେ ନିଭାଉଥିବା ଲୋକ ହିଁ ଅନୁଭବ କରୁଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀର ୪୫ପଞ୍ଚାୟତର ଲକ୍ଷ ଲକ୍ଷ ଲୋକ ଜୀବନ ବିତାଉଛନ୍ତି ଅନ୍ଧାର ଆଲୁଅର ଲୁଚକାଳି ଖେଳ ଭିତରେ । ଅନ୍ୟପଟେ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ତରଫରୁ ନିର୍ମାଣ ଚାଲିଛି ଗ୍ରୀଡ । ତେବେ ଗ୍ରୀଡ କାର୍ଯ୍ୟ ଶେଷ ହେବାର ବିଳମ୍ବ ଯୋଗୁ ଲୋକଙ୍କ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ପୁଣି ଗ୍ରୀଡ ନିର୍ମାଣ ଦାୟିତ୍ୱରେ ଥିବା ଓପିଟିସିଏଲ କର୍ତୃପକ୍ଷ କହିଛନ୍ତି ଡିସେମ୍ବର ୨୦୧୮ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଅଛି ।

GREED-1

ଚାନ୍ଦବାଲି ବ୍ଲକର ୩୬ ପଞ୍ଚାୟତ ଓ ତିହିଡି ବ୍ଲକର ୯ପଞ୍ଚାୟତ ସହ ଚାନ୍ଦବାଲି ଏନଏସିକୁ ମିଶାଇ ରହିଛି ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ । ଏଠାକାର ପାଖାପାଖି ୫ଲକ୍ଷ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ବିଦ୍ୟୁତ ସମସ୍ୟା । ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ତରଫରୁ ଚାନ୍ଦବାଲି ପାଇକିରାପୁରଠାରେ ଏକ ଗ୍ରୀଡ ନିର୍ମାଣ ଚାଲିଛି । ହେଲେ ୨୦୧୮ ମେ ମାସରେ ଏହି ଗ୍ରୀଡ କାର୍ଯ୍ୟ ଶେଷ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ହେଲେ ମେ ଯାଇ ସେପ୍ଟେମ୍ବର ସରିବାକୁ ହେଲାଣି ତଥାପି ସରିପାରିଲା ନାହିଁ ଗ୍ରୀଡ କାର୍ଯ୍ୟ ।

୨୦୧୪ନିର୍ବାଚନ ଜିତିବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଥିଲେ । ପ୍ରଥମେ ୧୯.୦୨.୨୦୧୬ରେ ମୁଖ୍ୟମନ୍ତ୍ରୀ ଗ୍ରୀଡ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ପରେ  ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଚାନ୍ଦବାଲି ଆସି ପୁଣିଥରେ ଭୂମିପୂଜା କରିବା ସହ ଗ୍ରୀଡ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଚାନ୍ଦବାଲି ପାଇକିରାପୁରଠାରେ ୧୦ଏକର ଜାଗାରେ ୧ଶହ କୋଟି ଟଙ୍କା ବ୍ୟୟରେ ସରକାରଙ୍କ ଓପିଟିସିଏଲ ତରଫରୁ ଜିଆଇଏସ ପ୍ରଣାଳୀରେ ଡିସେମ୍ବର ୨୦୧୬ରେ ଆରମ୍ଭ କରାଯାଇଥିଲା ଗ୍ରୀଡ କାର୍ଯ୍ୟ । ଲୋକଙ୍କ ମନରେ ଖୁସି ଥିଲା ଯେ ଖୁବ ଶୀଘ୍ର ଗ୍ରୀଡ କାର୍ଯ୍ୟ ସରିବ ଆଉ ମୁକ୍ତି ମିଳିବ ବିଦ୍ୟୁତ ସମସ୍ୟାରୁ । ହେଲେ ଆଜି ବି ସେ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ବିଦ୍ୟୁତ ବିଭ୍ରାଟ ଯୋଗୁ ଲୋକମାନେ ନାହିଁ ନଥବା ହଇରାଣ ହେଉଥିବା ବେଳେ ଏହାର ଅଧିକ ପ୍ରଭାବ ପଡୁଛି ଛାତ୍ରଛାତ୍ରୀଙ୍କ ଉପରେ । ତେବେ ଏହି ବିଦ୍ୟୁତ କାଟର ପ୍ରତିବାଦ କରି ପୂର୍ବରୁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବିମାନେ ଚାନ୍ଦବାଲିରେ ଆନ୍ଦୋଳନ କରିଛନ୍ତି । ହେଲେ ଏହାର ପ୍ରଭାବ ଯେମିତି ପ୍ରଶାସନ କି ସରକାରଙ୍କ ଉପରେ ପଡିବା ଭଳି ଲାଗୁ ନାହିଁ । ତେବେ ଏହି ବିଦ୍ୟୁତ ବିଭ୍ରାଟ ଓ ଗ୍ରୀଡ କାର୍ଯ୍ୟ ବିଳମ୍ବକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଚାନ୍ଦବାଲି ବିଧାୟକଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଧାୟକଙ୍କ ଏଭଳି  କାମ ଯୋଗୁଁ ଅଯଥାରେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି ।

GREED-2

ତେବେ ଗ୍ରୀଡର ପାଖାପାଖି ୭୦ ଭାଗ କାମ ସରିଥିବା ବେଳେ ଓଳାଭରରୁ ଗ୍ରୀଡ ପର୍ଯ୍ୟନ୍ତ ଆସୁଥିବା ଲାଇନ କାମରେ କିଛିଟା ଅସୁବିଧା ଥିବା କଥା କହିଛନ୍ତି ଓପିଟିସିଏଲର ଆସିଷ୍ଟାଣ୍ଟ ମ୍ୟାନେଜର । ତେବେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ବିଲରେ ଟାୱାର କାମରେ ବିଳମ୍ବ ହେଉଛି । ତେବେ ଖୁବ ଶୀଘ୍ର ଗ୍ରୀଡ କାର୍ଯ୍ୟ ଶେଷ ହେବ ଏବଂ ଲୋକଙ୍କୁ ବିଜୁଳି ସମସ୍ୟାରୁ ତ୍ରାହି ମିଳିବ ବୋଲି କହିଛନ୍ତି ଚାନ୍ଦବାଲି ବିଧାୟକ । ଏବେ ଦେଖିବାର କଥା, କାମ ପ୍ରତିଶ୍ରୁତି ଅନୁସାରେ ହେଉଛି ନା ନାହିଁ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.