ଚଣ୍ଡିପଡା ଗାଁରେ ମୌଳିକ ସୁବିଧା ଅପହଞ୍ଚ, ଚିନ୍ତାରେ ଲୋକେ
ବର୍ଷା ଦିନରେ ବାଟ ଚାଲିବା ଗ୍ରାମବାସୀଙ୍କ ପାଇଁ ହୋଇପଡ଼ୁଛି ମୁସ୍କିଲ । ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ ଯାହା ଫଳରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ ଓ ରୋଗୀ । ବର୍ଷା ଦିନ ହେଲେ କାଦୁଅ ପଚ୍ ପଚ୍ ରାସ୍ତାରେ ଗାଁରୁ କେହି ବାହାରକୁ ଯାଆନ୍ତିନି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚଣ୍ଡିପଡା ଗାଁରେ ମୌଳିକ ସୁବିଧା ଅପହଞ୍ଚ । ତୁରେକେଲା ବ୍ଲକ ଅଧିନରେ ଥିବା ଘୁନେଶ ପଞ୍ଚାୟତ ଅନ୍ତର୍ଗତ ବର୍ଲା ଗାଁର ଚଣ୍ଡିପଡାରେ ଅନେକ ସମସ୍ୟା ରହିଛି । ଉପାନ୍ତ ଇଲାକାରେ ରହିଥିବା ଏହି ଚଣ୍ଡିପଡା ପାଇଁ ମୁଖ୍ୟତଃ ପିଇବା ପାଇଁ ପାଣି ଓ ବାଟ ଚାଲିବା ପାଇଁ ଭଲ ରାସ୍ତା ନଥିବାରୁ ଅନେକ ଅସୁବିଧା ହେଉଥିବା ଗ୍ରାମବାସୀ କହିଛନ୍ତି ।
ଚଣ୍ଡିପଡାରେ ଜନସଂଖ୍ୟା କହିଲେ ୪ ଶହରୁ ଅଧିକ । ରାଜ୍ୟ ସରକାର ଗାଁ କୁ ଗାଁ ପକ୍କା ରାସ୍ତା ଯୋଜନା କରୁଥିବା ବେଳେ ଏଠାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଘନେଶ ପଞ୍ଚାୟତରୁ ଏକ କଚା ରାସ୍ତା ଦେଇ ଦୀର୍ଘ ବର୍ଷ ହେଲା ଚଣ୍ଡିପଡାବାସୀ ଯାତାୟତ କରୁଛନ୍ତି । ଗାଁର ଭଲ ରାସ୍ତା ନଥିବାରୁ ଖାଉଟି କାର୍ଡ ଥିବା ହିତାଧିକାରୀ ୩ କିମି ବାଟ ଚାଲି ଚାଲି ଚାଉଳ ଆଣିବାକୁ ଯାଉଛନ୍ତି । ଏବେ ଶୀତ ଓ ଖରା ଦିନରେ ଯଦି ପ୍ରଶାସନ ଭଲ ରାସ୍ତା ଟିଏ କରି ଦେବେ ତେବେ ବାଟ ଚାଲିବାକୁ ସୁବିଧା ହେବ ବୋଲି ଗୁହାରି କରିଛନ୍ତି ଗ୍ରାମବାସୀ ।
ସେହିପରି ଚଣ୍ଡିପଡା ଗାଁରେ ଗତ କରୋନା ସମୟରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପଡ଼ିଛି । ତେଣୁ ଗାଁର ଛାତ୍ରଛାତ୍ରୀ ମଧ୍ୟ ହଇରାଣ ହେଉଛନ୍ତି । କୁନି କୁନି ପିଲାଙ୍କୁ ପାଠ ପଡିବା ପାଇଁ କିଛି ପରିବାର ଘୁନେଶ ଓ ବର୍ଲା ବିଦ୍ୟାଳୟକୁ ପଠାଉଛନ୍ତି । ଗାଁରେ ଅଙ୍ଗନବାଡି ନଥିବାରୁ ଛୋଟ ପିଲା ଅଙ୍ଗନବାଡି ଯାଉ ନାହାନ୍ତି । କିଛି ପରିବାର ଅଙ୍ଗନବାଡି ଦିଦିଙ୍କ ଠାରୁ ଅଣ୍ଡା ଓ ଛତୁଆ ନିଜେ ଯାଇ ଆଣୁଥିବା କହିଛନ୍ତି । ଏହାକୁ ନେଇ ଅନେକ ପରିବାର ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ଫଳ ମିଳିନାହିଁ । ଗାଁରେ ରହିଛି ପିଇବା ପାଣି ସମସ୍ୟା । ବିଶୁଦ୍ଧ ଜଳ ଯୋଗାଣ ପାଇଁ ଗାଁର ଏହି ପଡାରେ କୌଣସି ପ୍ରକାରର ସୁବିଧା କରାଯାଇ ନାହିଁ । ଗୋଟିଏ ମାତ୍ର ନଳକୂପ ରହିଛି । କିନ୍ତୁ ସେଥିରୁ ଲୁହାଗୁଣ୍ଡ ବାହାରୁଥିବାରୁ ଲୋକେ ଗାଁରେ ଥିବା ଏକ କୂଅରୁ ପାଣି ବ୍ୟବହାର କରୁଛନ୍ତି । ଗାଁର ସମସ୍ୟା ବିଷୟରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଥିଲେ ଗାଁ କୁ ଏକ ଟିମ ପଠାଇବାର ବ୍ୟବସ୍ଥା କରିବା ସହ କିଭଳି ଗାଁର ମୌଳିକ ସୁବିଧା ଲୋକେ ପାଇ ପାରିବେ ସେ ବ୍ୟବସ୍ଥା କରାଯିବ । ଏହି ଗାଁରେ ପିଇବା ପାଣି ଠାରୁ ଆରମ୍ଭ କରି ରାସ୍ତା ପାଇଁ ବ୍ୟବସ୍ଥା କରାଗଲେ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହେବ ।