ଘରେ ଘରେ ଭୋଗ ନୈବେଦ୍ୟ ଗ୍ରହଣ କରି ଚାପ ଖେଳନ୍ତି ଠାକୁର, ଦେଖିବାକୁ ଲାଗେ ଲୋକଙ୍କ ଭିଡ଼

ଠାକୁରଙ୍କର ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀ ପାଳନ ହେଉଥିବାବେଳେ ବାରୁଣୀ ସ୍ନାନ ହେଉଛି ମୁଖ୍ୟ ପର୍ବ । ଏହାକୁ ଅତି ଧୁମଧାମର ସହିତ ପାଳନ କରାଯାଇଥାଏ । ଗାଁର ଆରାଧ୍ୟ ଠାକୁର ପ୍ରଭୁ ବୁଦ୍ଧନାଥ ମା’ ହରଚଣ୍ଡି ପାର୍ଶ୍ୱ ଗ୍ରାମ ଗଙ୍ଗାନାରାୟଣପୁରର ଗଙ୍ଗାଦେବୀ ରାଧାକୃଷ୍ଣ ମା’ ହରଚଣ୍ଡି ଗ୍ରାମବାସୀଙ୍କ ଘରେ ଘରେ ଭୋଗ ନୈବେଦ୍ୟ ଗ୍ରହଣ କରିବା ପରେ ଭାର୍ଗବୀ ନଦୀକୂଳକୁ ଆସିଥାନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଦୁଗଲ ଗାଁର ଠାକୁରଙ୍କ ଡଙ୍ଗା ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ଲାଗେ ।
ଠାକୁର ଭାର୍ଗବୀ ନଦୀ କୂଳରେ ପହଞ୍ଚିବା ପରେ ଠାକୁରଙ୍କ ବାଟକୁ ଚାହିଁ ରହିଥାନ୍ତି ଅନେକ ଶ୍ରଦ୍ଧାଳୁ । ଦୁଇଟି ଗାଁର ଠାକୁର ଭାଗର୍ବୀ ନଦୀରେ ଡଙ୍ଗା ସାହାଯ୍ୟରେ ଚାପ ଖେଳି ଖେଳି ଆସିଥାନ୍ତି । ନଦୀ ମଧ୍ୟରେ ଭଉଁରୀ ଖେଳିଥାନ୍ତି । ଏହି ସମୟରେ ଠାକୁରଙ୍କ ପାଖରେ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥାଏ । ଘଣ୍ଟୁଆଙ୍କ ଘଣ୍ଟ ମର୍ଦ୍ଦଳ ସାଙ୍ଗକୁ ତୁରୀର ସ୍ବନରେ ସୃଷ୍ଟି ହୋଇଥାଏ ଏକ ଆଧ୍ୟାତ୍ମିକ ପରିବେଶ । ଛୋଟ ବଡ଼, ଉଚ୍ଚ ନୀଚ୍ଚ ଭେଦ ଭାବ ଭୁଲି ସମସ୍ତେ ଏକତ୍ରିତ ହୋଇଥିଲେ ଠାକୁରଙ୍କ ଏହି ଉତ୍ସବରେ । ବିଶେଷ କରି ମହିଳାଙ୍କ ସଂଖ୍ୟା ଅଧିକ ହୋଇଥାଏ । ତେବେ ଏହି ଅପୁର୍ବ ଦୃଶ୍ୟ ଦେଖିବା ପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁଙ୍କର ସୁଅ ଛୁଟିଥାଏ ।
ଭକ୍ତି ଓ ବିଶ୍ବାସକୁ ନେଇ ଆମ ଓଡ଼ିଆ ସଂସ୍କୃତିରେ ରହିଛି ଅନେକ ପ୍ରଥା ପରମ୍ପରା । ଠାକୁରଙ୍କ ଦର୍ଶନ ସାଙ୍ଗକୁ ଏଭଳି ଏକ ଭକ୍ତିମୟ ପରିବେଶରେ ହଜି ଯାଇ ଠାକୁରଙ୍କ ସାନିଧ୍ୟ ପାଇବା ପାଇଁ ଏଠାରେ ଭକ୍ତଙ୍କ ଭିଡ଼ ଲାଗେ ।