ସାଇକେଲରେ ଚାରିଧାମ ଓ ୧୨ ଜ୍ୟୋତିର୍ଲିଙ୍ଗ ପରିଭ୍ରମଣ, ଉଦ୍ଦେଶ୍ୟ ସନାତନ ଧର୍ମର ପ୍ରଚାର ପ୍ରସାର
ଟାଙ୍ଗି: ଭାରତରେ ପ୍ରାଚୀନ ସନାତନ ପରମ୍ପରା ଏବଂ ହିନ୍ଦୁ ଧର୍ମର ପ୍ରଚାର-ପ୍ରସାର କରିବାରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ମହାନ ଅବଦାନ ରହିଥିଲା । ଭାରତୀୟ ସନାତନ ପରମ୍ପରାକୁ ପୁରା ଦେଶରେ ପ୍ରଚାର କରିବା ପାଇଁ ଭାରତର ଚାରି କୋଣରେ ୪ଟି ଶଙ୍କରାଚାର୍ଯ୍ୟ ମଠ ସ୍ଥାପନା କରିଥିଲେ । ବର୍ତ୍ତମାନ ମଧ୍ୟ ଏହି ୪ଟି ମଠ ଶଙ୍କରାଚାର୍ଯ୍ୟଙ୍କ ନେତୃତ୍ୱରେ ସନାତନ ପରମ୍ପରାର ପ୍ରଚାର-ପ୍ରସାର କରୁଛନ୍ତି । ତେବେ ସନାତନ ଧର୍ମରେ ଏମିତି ଅନେକ ପ୍ରାଚୀନ ପରମ୍ପରା ରହିଛି, ଯାହା ଆଜି ବି ଦୁନିଆର କୋଟି କୋଟି ଲୋକଙ୍କ ମାର୍ଗଦର୍ଶନ କରୁଛି । ତେବେ ଏହି ସନାତନ ଧର୍ମର ପ୍ରଚାର ପ୍ରସାର କରିବା ପ୍ରତ୍ୟକ ହିନ୍ଦୁର କର୍ତ୍ତବ୍ୟ ।
ତେବେ ଏଇ ଦୁନିଆରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । କାହା ପାଇଁ କାହା କଥା ଭାବିବାକୁ ଆଉ ସମୟ ନାହିଁ । ଏତେ ବ୍ୟସ୍ତତା ଭିତରେ ଧର୍ମ, ସଂସ୍କୃତି କଥା ଭାବିବା ତ ବହୁ ଦୁରର କଥା । କାମକର,ଟଙ୍କା କମାଅ, ଖାଅ ପିଅ, ମଉଜ କର । ବାସ୍ ଏତିକି ଆମ ସମସ୍ତଙ୍କର ଚିନ୍ତାଧାରା । ଖାସ୍ କରି ଆଜିକାଲିର ଯୁବପୀଢିଙ୍କ କଥା ତ ନକହିବା ଭଲ । ହେଲେ ଆମ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯାହାଙ୍କ ପାଇଁ ଆମ ଧର୍ମ ସଂସ୍କୃତି ଆଗ । ଦେଖନ୍ତୁ ଏହି ୪ଜଣ ଯୁବକଙ୍କୁ । ଏମାନେ ଅଆଜିର ଯୁବପୀଢି । ହେଲେ ଏମାନଙ୍କ ଚିନ୍ତାଧାରା ଖୁବ୍ ଉଚ୍ଚରେ ।
ଆଜି ୧୬ନମ୍ୱର ଜାତୀୟ ରାଜପଥ ଟାଙ୍ଗି ବାଇପାସ୍ ରାସ୍ତାରେ ଏହି ଚାରି ସାଙ୍ଗକୁ ଦେଖିବାକୁ ମିଳିଥିଲା । ଯେଉଁମାନେ ସାଇକେଲରେ ଜାତୀୟ ପତାକା ଲଗାଇ ମୁଁହରେ ଜୟ ଶ୍ରୀରାମ ନାରା ଦେଇ ଆଗେଇ ଚାଲିଥିଲେ । ପଚାରୁ ପଚାରୁ ଜଣାପଡିଲା ଏମାନେ, ସାଇକେଲରେ ଚାରି ଧାମ ଓ ୧୨ ଜ୍ୟୋତିର୍ଲିଙ୍ଗ ପରିଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଉଦ୍ଦେଶ୍ୟ ସନାତନ ଧର୍ମ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା । ଏମାନେ ୟୁପି, ବିହାର ଓ ଦିଲ୍ଲୀର ବାସିନ୍ଦା । ୧୭୬ଦିନ ହେବ ଏମାନେ ଏହି ଯାତ୍ରା ଆରମ୍ଭ କରିସାରିଥିବାବେଳେ ଏ ପର୍ଯ୍ୟନ୍ତ ୨ଟି ଧାମ ସହ ୯ ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ତୃତୀୟ ଧାମ ପୁରୀ ଶ୍ରଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଛନ୍ତି । ଏହାପରେ ସେମାନେ ବାରାଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଆଜି ଯାଏ ଦୀର୍ଘ୧୦ହଜାରରୁ ଅଧିକ କିଲୋମିଟର ଏମାନେ ଯାତ୍ରା କରିସାରିଲେଣି ।
ସାଇକେଲରେ ସାରା ଭାରତ ପରିଭ୍ରମଣ କରି ସନାତନ ଧର୍ମ ସଂପର୍କରେ ପ୍ରଚାର ପ୍ରସାର କରିବା ଏବଂ ନାରୀର ସୁରକ୍ଷା ସହ ହିଂସା ନ କରିବା ନେଇ ସଚେତନ କରିବା ଏମାନଙ୍କ ମୂଳ ଲକ୍ଷ୍ୟ । ସତରେ ମାନିବାକୁ ପଡିବ ଏହି ଯୁବକଙ୍କ ଚିନ୍ତାଧାରା । ଯାହା ଏ ସମାଜ ପାଇଁ ଏକ ବଡ ଉଦାହରଣ ।