ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ, ୩ ରଥର ୪୨ ଚକ ମଧ୍ୟରୁ ୧୮ ପ୍ରସ୍ତୁତ

ପୁରୀ(କେ.ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। ଆଉ ଦିନକ ପରେ ଶ୍ରୀକ୍ଷେତ୍ରରେ ଭଉଁରୀ। ତିନି ରଥ ପାଇଁ ଦୁଇଟି ଚକ ଓ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ। ୩ ରଥର ୪୨ ଚକ ମଧ୍ୟରୁ ୧୮ ଚକ ପ୍ରସ୍ତୁତ ହୋଇଛି। ତାଳଧ୍ୱଜ ରଥର ୫ଟି, ଦର୍ପଦଳନ ରଥର ୪ଟି ଓ ନନ୍ଦିଘୋଷ ରଥର ୬ଟି ଚକ ଶେଷ ହୋଇଛି। ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି। ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରଭୁଙ୍କ ଆଜ୍ଞାମାଳ ଆସିବା ପୂର୍ବରୁ ଏହା ସଂଯୋଗ କରାଯିବ। ରଥଖଳାରେ ବିଶ୍ୱକର୍ମା ମହାରଣା ଯୋକା କାମ କରୁଛନ୍ତି।

ସେହିପରି ଜନ୍ତାଗାଡ଼ରେ ଭୋଇ ସେବକ ମାନେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ କରୁଥିବା ବେଳେ ରଥଚାଳିରେ ଚକ ନିର୍ମାଣ ପାଇଁ ମୁଖ୍ୟ ବିଶ୍ୱକର୍ମା ଅରରେ ପଇ ପିନ୍ଧା, ଯୋକା, ଜଳ ଯନ୍ତ୍ର, କୁଡୁକା କାମ ଜାରି ରଖିଛନ୍ତି। ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୬ଟି ଲେଖାଏଁ ଯୋକା ଓ ଦର୍ପଦଳନ ରଥରେ ୧୨ ଟି ଯୋକା ସ୍ଥାପନ ହେବ। ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି। ପହିର ବିନ୍ଧରେ କିଳା ଦେଇ ଅର ସହିତ ଟାଇଟ୍‌ କରି ବାଡ଼ିଆ ଯାଉଛି। ଯନ୍ତାପଟାରେ ପଡ଼ି ତୁମ୍ବ ସହିତ ଅର ବା ସିଙ୍ଗଡ଼ାବାଡ଼ିଆ ହୋଇ ପହି ପିନ୍ଧା କରିବା ପରେ ଖୁସିଅର ଲଗାଯାଉଛି। ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଉଛି। ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବାଦେବୀ ବିଜେ ହେବେ। ଗୁଜ ଖୁମ୍ବ ସ୍ୱରୂପ ରଥର କୋଣ ମାନଙ୍କରେ ସ୍ଥାପିତ ହେବ।

Ratha

ଅନ୍ୟପଟେ କୁନି ରୂପକାର ସେବକଙ୍କ ପାଇଁ ଚାଟଶାଳି ପାଲଟିଛି। ହାତରେ ମୁଗୁର, ବଟାଳି, ଲିହଣ, କିଆଶା, ଖୋଲ ଧରି ଗୁଜରେ ପ୍ରଭୁ ନୃସିଂହଙ୍କ ମୂର୍ତ୍ତି ଖୋଦେଇର ଶିକ୍ଷା ନେଉଛନ୍ତି। ପାଠପଢ଼ା ସାଙ୍ଗକୁ ସ୍କୁଲ ଛୁଟି ହେବା ପରେ ରଥର ସମସ୍ତ ନିର୍ମାଣ କାର୍ଯ୍ୟ ଶିଖିବା ପାଇଁ ଚାଲିକି ଆସୁଥିବା କୁନି ରୂପକାର କହିଛନ୍ତି।

Also Read: ମୌସୁମୀ ପୂର୍ବରୁ ଶେଷ ହେବ କଟକ ସହରରେ ପଙ୍କ ଉଦ୍ଧାର କାର୍ଯ୍ୟ, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲେ ମେୟର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.