ଚଳଚଞ୍ଚଳ ରଥଖଳା: ରଥଯାତ୍ରା ପାଇଁ ଆଗେଇ ଚାଲିଛି କାମ, ତିନି ରଥ ପାଇଁ ଆବଶ୍ୟକ ୪୨ ଚକର ୪୨ଟି ତୁମ୍ବ ଶେଷ

ପୁରୀ(କେନ୍ୟୁଜ୍‌) : ଶ୍ରୀନହର ସମ୍ମୁଖ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ନିହଣ,ମୁଗର ଓ ବାରିସି ମାଡର ଧ୍ୱନୀରେ ଗୁଞ୍ଜରି ଉଠୁଛି ରଥଖଳା। ପ୍ରଥମେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ କରାଯାଇଥାଏ। ଚକର ମଝି ଅଂଶ ନିର୍ମାଣ ହେଉଛି। କରତିଆ ସେବକଙ୍କ ଦ୍ୱାରା ଫାସୀ କାଠରେ ସମସ୍ତ ୪୨ଟି ତୁମ୍ବ କଟାଯାଇ ମହାରଣାଙ୍କୁ ଯୋଗାଯାଇଛି। ତୁମ୍ବରେ ସୂତାବାଡିଆ ପରେ ୪୨ଟି ଯାକ ତୁମ୍ବରେ ବିନ୍ଧ ଖୋଦେଇ କରାଯାଉଛି। ପ୍ରତି ତୁମ୍ବରେ ୧୬ଟି ଲେଖାଏ ବିନ୍ଧ ଖୋଦେଇ କରାଯାଉଛି।

ସମସ୍ତ ତୁମ୍ବରେ ବିନ୍ଧ ଖୋଦେଇ ପରେ ଅର ସଂଯୋଗ କରାଯିବ। ଏହାପରେ ପହି ସଂଯୋଗ କରାଯିବ। ଦର୍ପଦଳନ ରଥର ୧୨ଟି ତୁମ୍ବରୁ ଶେଷ ତୁମ୍ବର ଗୋଲେଇ ବା ବୋଳା କାର୍ଯ୍ୟ ଶେଷ ହୋଇଛି । ୧୦ଟିର ବିନ୍ଧ କାର୍ଯ୍ୟ ଜାରି ରହିଛି। ଆଉ ଦୁଇଟି ତୁମ୍ବ ମଧ୍ୟରୁ ଗୋଟିକର ସୂତା ବାଡିଆ ଶେଷ ହୋଇ ଠେକ କଟା ମଧ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର ୧୪ଟି ତୁମ୍ବ ମଧ୍ୟରୁ ୩ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ୧୬ଟି ତୁମ୍ବ କାର୍ଯ୍ୟ ଜାରି ରହିଛି । ଆଜି ସୁଦ୍ଧା ରଥଖଳାରେ ୧୩୨ ଜଣ ମହାରଣା, ଭୋଇ ସେବକ, କମାର ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ନୃସିଂହ ଚତୁର୍ଦ୍ଦଶୀ ଦିନ କୋଣ ଗୁଜ ଅନୁକୂଳ ହେବ। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ଵାରା ଯନ୍ତାଗାଡ ଖୋଲାଯିବ। ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ଚକ ଓ ଅଖ ସଂଯୋଗ କରାଯାଇ ଡେରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.