ଗଡ଼ିଲା ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାପ୍ରଭୁଙ୍କ ରୁକୁଣା ରଥ, ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ଆଠଗଡ଼- ଗଡ଼ିଲା ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାପ୍ରଭୁଙ୍କ ରୁକୁଣା ରଥ । ରଥ ଟାଣିଲେ ଶହ ଶହ ଭକ୍ତ । ଆଠଗଡ଼ରେ ସ୍ରୁଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାପ୍ରଭୁ । ରୁକୁଣା ରଥ ଯାତ୍ରାରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି ହଜାର ହଜାର ଭକ୍ତ ।
ଆଠଗଡ଼ ବ୍ଲକ ରାଧା ଦାମୋଦର ପୁର ଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅଷ୍ଟମୀ ତିଥିରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ତିନି ଧୂପ ପାଞ୍ଚ ଅବକାଶ ସମ୍ପନ୍ନ ହେବା ପରେ ମହାପ୍ରଭୁ ଆଶୋକା କୁଣ୍ଡରେ ସ୍ନାନ କରି ଗ୍ରାମ ମନ୍ଦିରରେ ପ୍ରବେଶ କରିଥିଲେ । ଗ୍ରାମବାସୀଙ୍କ ତରଫରୁ ଗାଁର ମୂରବୀ ଭାଗିରଥି କରଙ୍କୁ ତାଙ୍କ ବାସ ଭବନରେ ନିମନ୍ତ୍ରଣ କରି ଗୋଟିଏ ଦିନ ପାଇଁ ଶ୍ରୀ କରଙ୍କୁ ରାଜା ଭାବରେ ଅଭିଷେକ କରି ମହାପ୍ରଭୁଙ୍କ ସହ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ମନ୍ଦିର ନିକଟରେ ପହଞ୍ଚି ରୁକୁଣା ରଥରେ ଛେରା ପହଁରା କରିବା ସହ ରଥ ଟଣା ଯାଇଥିଲା । ଏହି ପରମ୍ପରା ଶହେ ବର୍ଷରୁ ଅଧିକ ଦିନ ଧରି ଚାଲି ଆସିଛି ବୋଲି କହିଛନ୍ତି ଗାଁର ମୂରବୀ ଭାଗିରଥି କର ।
ହିନ୍ଦୁ ଧର୍ମରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ । ଏଥିମଧ୍ୟରୁ ଚଇତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପର୍ବ ପାଳିତ ହୁଏ । ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ । ଲୋକକଥା ଅନୁସାରେ ତ୍ରେତୟା ଯୁଗରେ ଲଙ୍କାପତି ରାବଣ ଦେବୀ ସୀତାଙ୍କୁ ହରଣ କରି ନେବା ପରେ ଅଶୋକ ବନରେ ରଖିଥିଲେ । ଯେଉଁଠାରେ ମା’ ସୀତା ଭଗବାନ ରାମଙ୍କୁ ଅପେକ୍ଷା କରି ରହିଥିଲେ । ସେହି ଅଶୋକ ବନରେ ହନୁମାନ ସୀତା ମାତାଙ୍କୁ ଭେଟି ରାମଙ୍କ ମୁଦ୍ରିକା ଦେଇଥିଲେ । ଯଥାଶୀଘ୍ର ଭଗବାନ ତାଙ୍କ ନିକଟରେ ପହଞ୍ଚିବାର ସଂକେତ ଦେଇଥିଲେ ହନୁମାନ । ମା’ ସୀତା ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ୱରୂପା । ତେଣୁ ଅଶୋକାଷ୍ଟମୀ ଦିନ ଉପବାସ କରିବା ଦ୍ୱାରା ମନୁଷ୍ୟ ଜୀବନରୁ ଦୁଃଖ ଦୂର ହେବା ସହ ଲକ୍ଷ୍ମୀନାରାୟଣ ଏବଂ ଭଗବାନ ଶଙ୍କରଙ୍କର ବିଶେଷ କୃପା ଲାଭ ହୋଇଥାଏ । ଏହି ସମୟରେ ରଥରେ ବାସୁଦେବ, ରୁକୁଣା ଏବଂ ଶଙ୍କର ଯାତ୍ରା କରିଥାନ୍ତି । ବିଶ୍ବାସ ଅନୁଯାୟୀ ଏହି ରୁକୁଣା ରଥଯାତ୍ରା ପ୍ରାଚୀନ କାଳରୁ ହେଉଥିବା ଶୁଣିବାକୁ ମିଳେ । ଅଶୋକାଷ୍ଟମୀକୁ ଏକ ପବିତ୍ର ପର୍ବ ଭାବେ ମନେ କରାଯାଇ ରୁକୁଣା ରଥ ଯାତ୍ରା ପାଳିତ ହୁଏ ।
Also Read:ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଦିନ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ