ମହାନବମୀ ପାଇଁ ମା ବିରଜାଙ୍କ ପୀଠରେ ଚଳଚଞ୍ଚଳ: ଅପରାହ୍ନରେ ମାଙ୍କ ରଥାଯାତ୍ରା ପରେ ଲାଖବିନ୍ଧା ଉତ୍ସବ

ଯାଜପୁର : ମହାନବମୀ ପାଇଁ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ପୀଠ ଚଳଚଞ୍ଚଳ। ଆଜି ବଡ଼ି ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମା’ଙ୍କ ସ୍ନାନ କରାଯାଇଛି। ମାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ନବଦିବସୀୟ ରଥଯାତ୍ରାର ଆଜି ଶେଷ ଦିନ। ଅପରାହ୍ନରେ ମାଙ୍କ ରଥାଯାତ୍ରା ପରେ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ। ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ଶାରଦୀୟ ଦୂର୍ଗୋତ୍ସବ। ସେହିଦିନଠାରୁ କାଠ ସଂଗ୍ରହ ହୋଇ ରଥ କାଯ୍ୟ ଆରମ୍ଭ ହୋଇଛି। ୧୫ ଜଣ କାରିଗର ଏହି ରଥ ନିର୍ମାଣରେ ଲାଗିଛନ୍ତି। ମାଙ୍କର ଏହି ବିଜୟା ରଥକୁ ସ୍ୱୟଂ ବ୍ରହ୍ମା ପ୍ରସ୍ତୁତ କରିବା ସହ ନିଜେ ରଥର ସାରଥୀ ସାଜିଥାନ୍ତି। ଏହି ରଥ ମା ସୁଭଦ୍ରଙ୍କ ରଥ ଆକୃତିରେ ହୋଇଥିବା ବେଳେ ସାରା ଭାରତର ଶକ୍ତି ପୀଠରେ ଏହା ଏକ ନିଆରା ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ।
ଅନ୍ୟପଟେ ମା ବିରଜାଙ୍କ ପୀଠରେ ନବରାତ୍ର ପୂଜାର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତି ପୀଠ ରେ ଦେଖିବାକୁ ମିଳେ ନାହିଁ। ପ୍ରତିବର୍ଷ ମହାଳୟା ଅମାବାସ୍ୟା ପ୍ରତିପଦ ଠାରୁ ମା ଙ୍କ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ପ୍ରତିପଦ ଠାରୁ ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ୯ ଦିନ ଧରି ମନ୍ଦୀର ଚତୁଃପାଶ୍ୱ ପରିକ୍ରମା କରିବେ ମା । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠ ଠାରେ ଦେଖିବାକୁ ମିଳୁନଥିବାରୁ ଶ୍ରଦ୍ଧାଳୁ ମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ମାଙ୍କୁ ଦର୍ଶନ କରିବା ପାଇଁ । ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି ।