୫ ବର୍ଷ ପରେ ଜେଲରୁ ମୁକୁଳିଲେ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା, ୫୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ମିଳିଲା ସର୍ତ୍ତମୂଳକ ଜାମିନ

କେନ୍ୟୁଜ୍(ବ୍ୟୁରୋ):  ୫ ବର୍ଷ ପରେ ଜେଲରୁ ମୁକୁଳିଲେ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା। କୋରାପୁଟ ଅତିରିକ୍ତ ସେସନସ୍‌ କୋର୍ଟରୁ ଜାମିନ ପରେ ସେ ଆଜି କୋରାପୁଟ ଜେଲରୁ ବାହାରିଛନ୍ତି । ୫୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଜାମିନ ପାଇଁ କୋର୍ଟ ୩ଟି ସର୍ତ୍ତ ରଖିଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ନାଚିକା ବାହାରକୁ ଯାଇପାରିବେ ନାହିଁ । ମାମଲାର ବିଚାର ସମୟରେ ଅଦାଲତରେ ଉପସ୍ଥିତ ରହିବେ ।

କୌଣସି ଆନ୍ଦୋଳନରେ ସେ ସାମିଲ ହେବେ ନାହିଁ । ୨୦୦୯ ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ନାଚିକା ଗିରଫ ହୋଇଥିଲେ । ୨୦୧୪ ଅକ୍ଟୋବରର ୨୮ରୁ ସେ କୋରାପୁଟ ମଣ୍ଡଳ କାରଗାରରେ ଥିଲେ । ତାଙ୍କ ନାଁରେ ମୋଟ୍‌ ୪୫ଟି ମାମଲା ଥିବା ବେଳେ ୪୪ଟିରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୪ ତାରିଖରେ ନାଚିକା ଲିଙ୍ଗାଙ୍କୁ ହାଇକୋର୍ଟ ଜାମିନ ମଂଜୁର କରିଥିଲେ । ଏନେଇ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଥିଲେ ।

Leave A Reply

Your email address will not be published.