ଘରୋଇ କଳିକୁ ନେଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦେବାରେ ରୋଷେୟାଙ୍କ ପାତର ଅନ୍ତର

ବାଙ୍ଗିରିପୋଷି: ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ସ୍କୁଲ ପିଲା । ତାଲା ପକାଇ ବିଦ୍ୟାଳୟ ଘେରାଓ କଲେ ଅଭିଭାବକ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶିର୍ଷା ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ବଣ୍ଟନରେ ରୋଷେୟାଙ୍କ ପାତର ଅନ୍ତର ନିତିକୁ ନେଇ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ରୋଷେଇ ଘରେ ତାଲା ପକାଇ ବିଦ୍ୟାଳୟ ଘେରାଓ କରିଥିଲେ ।

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେୟା ଗାଁରେ ଘରୋଇ ପାଟି ତୁଣ୍ଡ ପରେ ବିଦ୍ୟାଳୟରେ ଉକ୍ତ ପରିବାରର ପିଲାଙ୍କୁ ଖାଇବାକୁ ନଦେବା ଘଟଣାକୁ ନେଇ ଗ୍ରାମବାସୀ ପୂର୍ବରୁ ସ୍ଥାନୀୟ ବିଇଓ ମଙ୍ଗଲ ସିଂ ଙ୍କୁ ଅବଗତ କରାଇଥିଲେ। ଏହା ପରେ ମିଡ ଡେ ମିଲ ଦାୟିତ୍ୱରେ ଥିବା ଏବିଇଓ ଲକ୍ଷ୍ମୀଧର ମହାନ୍ତ ବିଦ୍ୟାଳୟକୁ ଯାଇ ଶିକ୍ଷୟିତ୍ରୀ ଓ କମିଟିର ସଭ୍ୟମାନଙ୍କୁ ବୁଝାଇଥିଲେ। ହେଲେ ମଧ୍ୟ ଗ୍ରାମବାସୀ ବିବାଦୀୟ ରୋଷେୟା ଅନ୍ନପୂର୍ଣ୍ଣାଙ୍କୁ ବହିଷ୍କାର କରି ନୁତନ ରୋଷେୟା ପାଇଁ BEO ନିକଟରେ ଲିଖିତ ଭାବେ ଜଣେଇ ଥିଲେ କିନ୍ତୁ BEO ତାହା ଏଡାଇ ଦେଇ ପୁଣିଥରେ ଅନ୍ନପୂର୍ଣ୍ଣା ସାହୁଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ୧୦ ତାରିଖରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଚିଠି ଲେଖିଥିଲେ । ତେବେ ଗାଁ ଲୋକେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ମାନେ ଏହାକୁ ବିରୋଧ କରି ରୋଷେୟା ଘରେ ତାଲା ପକାଇ ଦେଇଥିଲେ।

ସେପଟେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଆଜି ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଅଛନ୍ତି । ଖବର ପାଇ ଘଟଣାସ୍ଥଳକୁ ବିଇଓ ମଂଗଲ ଚରଣ ସିଂ, ଏ ବିଓ ଲକ୍ଷ୍ମୀଧର ମହାନ୍ତ, ଝାରପୋଖରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ, ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ BEO, ABEO, ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦ୍ୱାରା ଏକ ବୈଠକ କରାଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି । ତତସହିତ ରୋଷେୟାଙ୍କୁ ଆସନ୍ତାକାଲିଠାରୁ ଯୋଗ ନ ଦେବାପାଇଁ ଏକ ସାଧା କାଗଜରେ ସର୍ବସମ୍ମୁଖରେ BEO, ABEO ଲିଖିତ ଦେଇଛନ୍ତି ବୋଲି ଜଣାପଡିଛି ।

Also Read:୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି ଏସଏଚଜି ମହିଳା, ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ