ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ପୁରୀ(କେନ୍ୟୁଜ୍):  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ସପ୍ତାହେ । ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ୍ଷେତ୍ର ସ୍ତରୀୟ ଅଗ୍ରଗତିର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଚଳିତ ବର୍ଷ କରୋନାର ପ୍ରକୋପ ହ୍ରାସ ପାଇଥିବାରୁ ଭକ୍ତଙ୍କ ମେଳରେ ରଥଯାତ୍ରା ହେବ । ପୂର୍ବାପେକ୍ଷା ଅଧିକ ଜନସମାଗମର ଆକଳନ କରାଯାଉଛି । ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଯାତ୍ରୀ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମ୍ପର୍କରେ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

cs suresh mahapatra

ବିଶେଷ କରି ରାସ୍ତାଘାଟ ମରାମତି, ଡ୍ରେନ ସଫା ଓ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ସୁନାବେଶରେ ଅତିରିକ୍ତ ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା, ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ରଥଯାତ୍ରା ପାଇଁ ଆସୁଥିବା ଯାତ୍ରୀମାନଙ୍କ ଆଶ୍ରୟ ସ୍ଥଳ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ସମସ୍ତ ଅବରୋଧ ଓ କ୍ୟାବିନ ଅପସାରଣ, ବର୍ଷା ହେଲେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷା ପରେ ପରେ ମୁଖ୍ୟ ସଚିବ ସେବାୟତ ମାନଙ୍କ ସହ ରଥଯାତ୍ରାକୁ ସୁଚାରୁ ରୁପେ ଓ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ସମାପନ କରିବାକୁ ସହଯୋଗ କାମନା କରିଥିଲେ । ପରେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତିକୁ ଅନୁଧ୍ୟାନ କରିଥିଲେ ।.

Leave A Reply

Your email address will not be published.