ଦେବଗଡ଼: ଶିକ୍ଷାର ମାନ ବୃଦ୍ଧି ପାଇଁ ଭିତ୍ତିଭୂମିର ବିକାଶରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବିଭାଗୀୟ ପଦାଧିକାରୀଙ୍କ ଦୂର ଦୃଷ୍ଟିର ଅଭାବରୁ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଡିମିରିକୁଦା ପଞ୍ଚାୟତ ଛେଲିଆମେଣ୍ଢିଆ ପ୍ରାଥମିକ ବିଦ୍ୟାଳୟରେ ଏହାର ସୁଫଳ ପହଞ୍ଚି ପାରୁନାହିଁ । ବିପଦସଙ୍କୁଳ ଘରେ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ ।
ଏ ହେଉଛି ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଡିମିରିକୁଦା ପଞ୍ଚାୟତ ଛେଲିଆମେଣ୍ଢିଆ ପ୍ରାଥମିକ ସ୍କୁଲର ଦୃଶ୍ୟ । ୨୦୦୮ରେ ସ୍ଥାପନ କରାଯାଇଥିବା ଏହି ସ୍କୁଲ କୋଠା ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡିଛି । ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୨୦୧୨-୧୩ରେ ୪ ଲକ୍ଷ ୧୦ ହଜାର ଟଙ୍କା ସ୍କୁଲ ପରିଚାଳନା କମିଟିକୁ ଦିଆଯାଇଥିଲା । ମାତ୍ର ନିର୍ମାଣ ଆରମ୍ଭ ନହେବାରୁ ୨୦୨୦ରେ ସରକାର ଟଙ୍କା ଫେରାଇ ନେଇଥିଲେ ।
ପୁଣି ୨୦୨୧ ଡିସେମ୍ବର ୧ରେ ୨ ଲକ୍ଷ ଟଙ୍କ ତିଲେଇବଣୀ ବିଡିଓଙ୍କୁ ଦିଆଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ ଅତିରିକ୍ତ ଶ୍ରେଣୀ ପ୍ରକୋଷ୍ଠ ଅସଂପୂର୍ଣ୍ଣ ଭାବେ ପଡିରହିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୯ ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢୁଛନ୍ତି । ଶ୍ରେଣୀ କୋଠରୀ ଛାତରୁ କଂକ୍ରିଟ ଖଣ୍ଡ ଖସି ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । ଛାତର କଳଙ୍କି ଲଗା ଲୁହାଛଡ ବାହାରକୁ ବାହାରି ଆସିଲାଣି । ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳୁଛି । ପାଣି ଜମା ହୋଇ ଶ୍ରେଣୀ କୋଠରୀ ଓ ବାରଣ୍ଡା ପୋଖରୀ ପାଲଟିଯାଉଛି ।
ତେବେ ଏପରି ଅବସ୍ଥା ଦେଖି ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲକୁ ଛାଡୁ ନାହାନ୍ତି । ଗ୍ରାମବାସୀ ଏକାଧିକବାର ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲାପରେ ମଧ୍ୟ କୈାଣସି ପଦକ୍ଷପ ଗ୍ରହଣ କରାଯାଉ ନାହିଁ । ଗାଁ କମ୍ୟୁନିଟି ସେଣ୍ଟରକୁ ଏହି ସ୍କୁଲ ସ୍ଥାନାନ୍ତର କରାଯାଇଛି । କମ୍ୟୁନିଟି ସେଣ୍ଟରର ସଙ୍କୁଚିତ କୋଠରୀରେ ୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୫ଟି ଶ୍ରେଣୀର ପିଲାମାନଙ୍କୁ ପଢାଉଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ଦୃଷ୍ଟି ପଡୁଛି ଏହି କଅଁଳ ପିଲାଙ୍କ ଉପରେ ।