ଚିକେନ୍ କେଜି ୧୦୦ ଟଙ୍କା ହେବା ଶୁଣି ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ୍

ଗୋପ : ଚିକେନ୍ କେଜି ୧୦୦, ଲିମିଟେଡ୍ ପିରିୟଡ୍ ଅଫର୍ । ଯଦି ୧୦୦ ଟଙ୍କାରେ ଚିକେନ୍ କେଜିଏ ଚାହୁଁଛ ତାହେଲେ ମାଡିଆସ ଆମ ଦୋକାନ । ଖାଲି କଷିଦିଅ ଆଉ ଖାଅ । ବାସ ଏତିକି ଶୁଣିବା ପରେ ଲୋକେ କଣ ଆଉ ଥୟ ଧରନ୍ତି ସିଧା ଯାଇ ହାଜର ଦୋକାନ ଭିତରେ । ଆଉ କଣ ଯାଗା ଅଛି ଛିଡା ହେବାକୁ । ଯିଏ ଯେମିତି ପାରିଲେ ଯେଉଁଠି ଥିଲେ ଧାଇଁଲେ । ଏମିତିକି ଦୋକାନ ବାହାରେ ବି ବାଇକ୍ ରଖିବାକୁ ଯାଗା ନଥିଲା ଲୋକଙ୍କର ।
ଆହୁରି ଆଶ୍ଚର୍ଯ୍ୟର କଥା ଯେ ୧୦୦ ଟଙ୍କାରେ ଚିକେନ କେଜିଏ ମିଳିବା କଥା ଶୁଣି ୭, ୮ କିଲୋମିଟର ଦୂରରୁ ବି ଧାଇଁ ଆସିଲେ ଲୋକେ । ଦେଖୁନାହାଁନ୍ତି କେତେ ଭିଡ, ଆଉ କେତେ ଲମ୍ବା ଲାଇନ୍ ଲାଗିଛି ଏ ଦୋକାନରେ । ହଁ ଏ ସୁଯୋଗ କଣ ଆଉ ସବୁଦିନ ଆସେ ନା କଣ? ଆଜି ୧୦୦ ଟଙ୍କାରେ ଚିକେନ୍ ମିଳୁଛି ମାନେ ଛାଡେ କିଏ । ଗତକାଲି ଆଜ୍ଞା ଶୁକ୍ରବାର ଥିଲା । ଶୁକ୍ରବାରରେ ପ୍ରାୟ ଲୋକ ଆମିଶ ଖାଆନ୍ତି । ସହଜେ ଆମିଶ ବାର ଆଉ ତାପରେ ୧୦୦ ଟଙ୍କାରେ ଚିକେନ୍ । ଆଉ କଣ କିଛି କହିବାକୁ ବାକି ଅଛି । ସମୟ ବିଳମ୍ବ ନକରି ସମସ୍ତେ ପହଁଚୁଛନ୍ତି ଚିକେନ୍ ଦୋକାନରେ ।
ଶୁକ୍ରବାର ମଧ୍ୟାହ୍ନରୁ କୋଣାର୍କ ନିକଟସ୍ଥ ବଢ଼େଇ ଛକ ଠାରେ ଥିବା ବ୍ରୋ ମାର୍କ ଚିକେନ ଫାର୍ମରେ ଚିକେନ କେଜି ପିଛା ୧୦୦ ଟଙ୍କା ହେବା ପରେ ଗ୍ରାହକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । କୋଣାର୍କ ବଜାରରେ ସାଧାରଣ ଦୋକାନ ମାନଙ୍କରେ ଚିକେନ କିଲୋ ପିଛା ୧୬୦ ଟଙ୍କା ଥିବା ବେଳେ ବଢ଼େଇ ଛକରେ ଚିକେନ କିଲୋ ୧୦୦ ଶୁଣି କୋଣାର୍କର ଆଖ ପାଖ ପ୍ରାୟ ୫, ୭ କିଲୋମିଟର ଦୂରରୁ ଲୋକେ ଆସି ଚିକେନ କିଣୁଥିବା ବେଳେ କହିଛନ୍ତି ଆଜିର ଦିନରେ ଆଳୁ କିଲୋ ପିଛା ୫୦ ରୁ ୭୦ ଟଙ୍କା ଅଛି ସେଠି ଆମେ ଏବେ ବିନା ଆଳୁରେ ଖାଲି ଚିକେନ କସା କରି ଖାଇବୁ।
ସେପଟେ ଫାର୍ମ ପରିଚାଳକ କହିଛନ୍ତି ବାବୁଙ୍କ କହିବା ଅନୁସାରେ ଆମେ ସାଧାରଣ ଗ୍ରାହକଙ୍କୁ ଦିନେ ଦୁଇ ଦିନ ଯାଏଁ ଏଭଳି ଦରରେ ବିକ୍ରି କରିବୁ । ତେବେ କହିବାକୁ ଚାହିଁବୁ ଯେ ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି । ଆମିଶ ଦୋକନରେ ଏବେ ଭିଡ କମ୍ ରହିଛି । ଆଉ ଏ ଚିକେନ ଦୋକାନରେ ବହୁତ ଗୁଡିଏ ଚିକେନ ଷ୍ଟକ ରହିଯାଇଥିଲା, ଯାହାକୁ କମ୍ ଦରରେ ବିକ୍ରି କରିଦେବାକୁ କହିଥିଲେ ଦୋକାନ ମାଲିକ ।