ନିଆଁରେ ଜଳି ଗୁରୁତର ହେଲେ ଚିକେନ୍ ଦୋକାନୀ, ଗ୍ୟାସ ଲିକ ଯୋଗୁ ଲାଗିଲା ନିଆଁ

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଚିକେନ ଦୋକାନୀ । ବଡ଼ ଧରଣର ଅଘଟଣରୁ ସୌଭାଗ୍ୟ ବଶତଃ ଜୀବନ ବଞ୍ଚି ଯାଇଥିଲେ ବି ନିଆଁରେ ଜଳି ଗୁରୁତର ହୋଇଛନ୍ତି ଦୋକାନୀ । ନିଜ ଚିକେନ ସେଣ୍ଟରରେ ପାଣି ଗରମ କରିବା ପାଇଁ ଗ୍ୟାସ ଲଗାଇବା ସମୟରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିମିଷକରେ ଗ୍ୟାସ ଲିକରୁ ନିଆଁ ଦୋକାନ ସାରା ବ୍ୟାପି ଯାଇଥିଲା । ନିଆଁ ବ୍ୟାପିବା ପରେ ହୁତୁହୁତୁ ହୋଇ ଜଳିଥିଲା ଚିକେନ ସେଣ୍ଟର । ତେବେ ଦୋକାନ ଭିତରେ ଫସି ଯାଇଥିଲେ ଚିକେନ ଦୋକାନୀ । କୌଣସି ମତେ ବ୍ୟାପିଥିବା ନିଆଁ କବଳରୁ ମୁକୁଳିବାରେ ସକ୍ଷମ ହୋଇ ବାହାରକୁ ଆସିଥିଲେ । କିନ୍ତୁ ସେତେବେଳକୁ ନିଆଁରେ ପୋଡି ହୋଇ ଗୁରୁତର ହୋଇ ପଡ଼ିଥିଲେ ଚିକେନ ଦୋକାନୀ । ଚିକେନ ସେଣ୍ଟରରେ ପାଣି ଗରମ କରୁଥିବା ସମୟରେ ଗ୍ୟାସ ଲିକ ହୋଇ ଏପରି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ବସ ଷ୍ଟପ ନିକଟରେ ଥିବା ରତନ ଚିକେନ ସେଣ୍ଟରରେ ଏପରି ଅଘଟଣ ଘଟିଛି l ପ୍ରତିଦିନ ପରି କାଲି ମଧ୍ୟ ରତନ ନିଜ ଚିକେନ ସେଣ୍ଟରକୁ ଆସି ପାଣି ଗରମ କରିବା ପାଇଁ ଗ୍ୟାସ ଲଗାଇଥିଲେ । ଚିକେନ ବିକ୍ରି ପାଇଁ ସମସ୍ତ ପ୍ରସ୍ତୁତି କରୁଥିବା ବେଳେ ଗ୍ୟାସ ଲିକ ହୋଇ ଏତେ ବଡ଼ ଅଘଟଣ ଘଟି ଯାଇଥିଲା । କିନ୍ତୁ ସ୍ଥାନୀୟ ବାସିନ୍ଦା ଦୌଡ଼ି ଆସି ନିଆକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଚିକେନ ସେଣ୍ଟର ପାଖରେ ଥିବା ଅନ୍ୟ ସବୁ ଘରକୁ ନିଆଁ ବ୍ୟାପିଥାନ୍ତା କିନ୍ତୁ ଏଭଳି ବଡ଼ ଧରଣର ଅଘଟଣ ଟଳି ଯାଇଛି । କିନ୍ତୁ ନିଆଁରେ ପୋଡି ହୋଇ ଚିକେନ ଦୋକାନୀ ରତନଙ୍କ ଶରୀର ର ହାତ ଗୋଡ଼ ମୁହଁର ୪୦% ରୁ ଅଧିକ ଭାଗ ପୋଡି ଯାଇଛି । ଗୁରୁତର ଦୋକାନୀ ହେଲେ ବାଟାଗୁଡାର ରତନ ଦିଗାଲ । ଗୁରୁତର ଅବସ୍ଥାରେ ରତନଙ୍କୁ ବାଲିଗୁଡା ମେଡିକାଲରେ ସ୍ଥାନୀୟ ବାସିନ୍ଦା ଅଟୋ ଯୋଗେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ରତନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଗ୍ୟାସ ଲିକରୁ ଏମିତି ଅଘଟଣ ଘଟୁଥିବାର ଖବର ଅନେକ ସମୟରେ ଆସୁଛି । ତେଣୁ ଆପଣ ରୋଷେଇ କରିବା ପୂର୍ବରୁ ଭଲ ଭାବେ ଗ୍ୟାସ ଲିକ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ । ପରେ ରୋଷେଇ କରନ୍ତୁ । ରୋଷେଇ ସରିବା ପରେ ଗ୍ୟାସକୁ ଭଲ ଭାବେ ବନ୍ଦ କରନ୍ତୁ । ଏଭଳି କରିବା ଦ୍ବାରା ଆପଣ ନିଜ ଜୀବନ ସହ ଅନ୍ୟ ମାନଙ୍କ ଜୀବନ ବି ବଞ୍ଚାଇ ପାରିବେ ।