ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଓଡ଼ିଶା ବାହାରେ ହିତାଧିକାରୀଙ୍କୁ ମିଳିବ ଚିକିତ୍ସା ସୁବିଧା

ଭୁବନେଶ୍ବର (କେନ୍ୟୁଜ୍) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ବାହାରେ ବି ହିତାଧିକାରୀଙ୍କୁ ମିଳିବ ଚିକିତ୍ସା ସୁବିଧା । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗତ ଦୁଇ ମାସ ମଧ୍ୟରେ ଏହି ଯୋଜନାରେ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।
ବଢ଼ିଲା ବିଜୁ ସ୍ୱାସ୍ଥ୍ୟ ଯୋଜନାର କଳେବର । ଓଡ଼ିଶା ବାହାରେ ରହୁଥିବା ହିତାଧିକାରୀମାନେ ମଧ୍ୟ ଏହି ଯୋଜନାର ସୁବିଧା ପାଇ ପାରିବେ । ସେମାନଙ୍କୁ ରାଜ୍ୟ ବାହାରର ସରକାରୀ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ମିଳିବ । ଚିକିତ୍ସା ଖର୍ଚ୍ଚ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଗତ ଦୁଇ ମାସ ମଧ୍ୟରେ ଯୋଜନାରେ ଏକ କୋଟି ଦଶ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ।
ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ, ସି.ଏମ.ସି. ଭେଲୋର,ନାରାୟଣ ହୃଦୟାଳୟ ଆଦି ଦେଶର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମଳିବ । କ୍ୟାନସର, ହାର୍ଟ ଓ କିଡନୀ ରୋଗର ଚିକିତ୍ସା ପାଇଁ ହିତାଧିକାରୀଙ୍କ ପାରିବାରିକ ଆୟର ସୀମା ବାର୍ଷିକ ୧ ଲକ୍ଷ ଟଙ୍କାରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟ ବାହାରେ ରେଫରାଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯିବାକୁ ଚାହୁଁଥିବା ରୋଗୀ ମାନଙ୍କୁ ୨ହଜାର ଟଙ୍କାର ଯାତାୟାତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ।