ଆମ ପାଇଁ “ସବୁ ଜୀବନ ମୂଲ୍ୟବାନ”, ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଆମେ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେ ନ୍ୟୁଜ): ସବୁ ଜୀବନ ମୂଲ୍ୟବାନ । ରାଜ୍ୟ ସରକାରଙ୍କ ସମସ୍ତ ଶାଖାର ସମନ୍ଵିତ ଅଂଶଗ୍ରହଣ ଆଭିମୁଖ୍ୟରେ ବିପର୍ଯ୍ୟୟର ମୁକାବିଲା କରାଯାଉଛି । ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସେ ସ୍ପଷ୍ଟ କରି କହିଛନ୍ତି, ମହାମାରୀର ପ୍ରଭାବ ସତ୍ୱେ ଓଡ଼ିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ଵସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି ।

ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ନୀତି ହେଉଛି “ସବୁ ଜୀବନ ମୂଲ୍ୟବାନ”। ସରକାରଙ୍କ ସବୁ ବିଭାଗ ସମନ୍ଵିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି । ଓଡ଼ିଶା ହେଉଛି ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟଙ୍କ ମଧ୍ୟରେ ଅନ୍ୟତମ। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ନିୟମିତ ଭାବରେ ସାମ୍ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା “ଅମ୍ଫନ” ଓ ବାତ୍ୟା “ୟସ୍‌”ର ସାମ୍ନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଜାରି ରହିଛି । ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିରେ ରଖି ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.