କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଯୋଜନା ଘୋଷଣା ହେଲା। ୧୦ ଦିନ ଭିତରେ ତାହା କାର୍ଯ୍ୟକାରୀ ହେଲା। ଏଥିରୁ ସ୍ପଷ୍ଟ, କେତେ ଗୁରୁତ୍ୱପୂର୍ଣ୍ଣ କାଳିଆ ସ୍କିମ୍। ଚାଷୀଙ୍କୁ ସହାୟତା ପାଇଁ ଥିବା କାଳିଆ ସ୍କିମ୍କୁ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୯୨ ପ୍ରତିଶତ ଚାଷୀ ଏଥିରୁ ଉପକୃତ ହେବେ। ନିର୍ବାଚନ ପୂର୍ବରୁ, ଏହା ସରକାରଙ୍କ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ସ୍କିମରେ ୩୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୫ ହଜାର ଟଙ୍କା ଲେଖାଁଏ ୫ଟି କିସ୍ତିରେ ଆର୍ଥିକ ସହାୟତା ଦିଆଯିବ। ୧୦ ଲକ୍ଷ ଭୂମିହୀନ ପରିବାରଙ୍କୁ ଜୀବିକା ଉପାର୍ଜନ ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ଦିଆଯିବ ୧୨, ୫୦୦ ଟଙ୍କା ଲେଖାଁଏ ଆର୍ଥିକ ସହାୟତା। ବିଭିନ୍ନ କାରଣରୁ ଚାଷ ପାଇଁ ଅସମର୍ଥ ୧୦ ଲକ୍ଷ ଚାଷୀଙ୍କୁ ବାର୍ଷିକ ଦିଆଯିବ ୧୦ ହଜାର ଟଙ୍କା ସହ ୫୭ ଲକ୍ଷ ଚାଷୀ ଓ ଭୂମିହୀନ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସହାୟତା ଦିଆଯିବ।

କାଳିଆରୁ ଉପକୃତ ହେବେ ୯୨ ପ୍ରତିଶତ ଚାଷୀ। କାଳିଆ କାର୍ଯ୍ୟର ତଦାରଖ ଲାଗି ସମବାୟ ବିଭାଗ ଅଧିନରେ ଏକ କମିଟି ଗଠନ କରାଯାଇଛି। କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ ସହାୟତା ପହଞ୍ଚୁଛି ନା ନାହିଁ ସେ ସବୁର ଅନୁଧ୍ୟାନ ହେବ। ସେପଟେ କାଳିଆ ସ୍କିମ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳ। ଆଗକୁ ନିର୍ବାଚନୀ ବର୍ଷ, ତା ପୂର୍ବରୁ ସମସ୍ତଙ୍କ ନଜରରେ ରହିଛନ୍ତି ଚାଷୀ। ନିକଟରେ ତିନି ହିନ୍ଦୀ ଭାଷୀ ରାଜ୍ୟରେ ନୂଆରେ ଆସିଥିଲା କଂଗ୍ରେସ ସରକାର। ତୁରନ୍ତ ଘୋଷଣା ହୋଇଥିଲା ଋଣ ଛାଡ଼। ଏହାପରେ ଅନ୍ୟ ରାଜ୍ୟରେ ମଧ୍ୟ ଚାଷୀଙ୍କ ନିକଟତର ହେବାକୁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇ ସାରିଛି। କେନ୍ଦ୍ର ସରକାର ମଧ୍ୟ, ଚାଷୀଙ୍କୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।