ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପୁରୀ : ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀରେ ଶେଷ ସମନ୍ବୟ ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷ ରଥଯାତ୍ରା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ରଥ ଟାଣିବେ । ଏପଟେ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା ହୋଇଛି । ୭ ଓ ୮ ତାରିଖ ଦୁଇ ଦିନ ଛୁଟି ନେଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ୨ ଉପ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ। ପୋଲିସ ଡିଜି ଓ ବିଭିନ୍ନ ବିଭାଗର ଅଧିକାରୀ ବି ବୈଠକରେ ସାମିଲ ହୋଇଥିଲେ। ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଆଦି ବିଭିନ୍ନ ପ୍ରସଙ୍ଗରେ ଏଥିରେ ଆଲୋଚନା ହୋଇଛି ।
ଅନ୍ୟପଟେ ଚଳିତବର୍ଷ ରାଷ୍ଟ୍ରପତି ପୁରୀକୁ ଆସି ରଥଯାତ୍ରା ଦେଖିବେ। ଏତଦ୍ବ୍ୟତୀତ ଅନେକ ଭିଆଇପି ମଧ୍ୟ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଚାରିଜଣ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ୬ ଜଣ ଆଇଜି ଓ ଡିଆଇଜି ରାଙ୍କର ଅଫିସର, ୧୯ ଜଣ ଏସ୍ପି ରାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଏସ୍ପି, ୭୫ ଜଣ ଡିଏସ୍ପି, ୧୩୦ ଜଣ ଇନ୍ସ୍ପେକ୍ଟର ଏବଂ ୬୭୫ ଜଣ ସବ୍ଇନ୍ସ୍ପେକ୍ଟର ଓ ଏଏସ୍ଆଇ ନିୟୋଜିତ ରହିବେ । ଏତଦ୍ବ୍ୟତୀତ ୩ ପ୍ଲାଟୁନ୍ ସ୍ପେଶାଲ ଷ୍ଟ୍ରାଇକିଂ ୟୁନିଟ୍ ଓ କେନ୍ଦ୍ରରୁ ୫ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ରହିବେ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି ।