ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଝୁଲି ରହିଛି ୩ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର : ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତ ବେଳେ ଗତକାଲି ମୋହନ କାହାକୁ ଭେଟିଥିଲେ ଆଜି କାହାକୁ ଭେଟିବେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୋହନ ମାଝୀ ସାକ୍ଷାତ କରିବା ସମ୍ଭାବନା ରହିଛି । ତେବେ ଏ ନେଇ ସୂଚନା ମିଳିନାହିଁ । ଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ସିଏମଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି ଅଛନ୍ତି ।
ବର୍ତ୍ତମାନ ରାଜ୍ୟ ବିଜେପି ଓ ରାଜ୍ୟ ସରକାରରେ ୩ ବଡ଼ ନିଷ୍ପତ୍ତି ଝୁଲି ରହିଛି । ଗତ ଦୁଇ ମାସ ଧରି ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରିୟା ଲାଗି ରହିଛି । ଏଭିତରେ ଦଳର ରାଷ୍ଟ୍ରୀୟ ସଂପାଦକ ତରୁଣ ଚୁଗ୍ ୩ ଥର ଓଡ଼ିଶା ଆସି ବୈଠକ କରିଛନ୍ତି । ଦୁଇଥର ରାଜ୍ୟ କାର୍ଯ୍ୟାଳୟରେ ଓ ଥରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଘରେ ହୋଇଥିଲା ଆଲୋଚନା । ଦଳର ଜିଲ୍ଲା ସଭାପତି ଚୟନ ବି ସରିଲାଣି ।
ହେଲେ ଏଯାଏ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ହୋଇନାହିଁ । ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା-ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ମୋହନ ମାଝୀ ସରକାରକୁ ୯ ମାସ ପୂରିଲାଣି । ହେଲେ କିଏ ହେବେ ନୂଆ ମନ୍ତ୍ରୀ ? କେବେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ? ତାହା ଅଟକି ରହିଛି । ଏବେସୁଦ୍ଧା ରାଜ୍ୟରେ ବିଭିନ୍ନ ନିଗମ ଓ ବୋର୍ଡ ସଭାପତି ପଦବୀ ଖାଲି ପଡ଼ିଛି । ଏନେଇ ମଧ୍ୟ କସରତ ଲାଗି ରହିଛି ।