କେନ୍ଦୁଝର(କେନ୍ୟୁଜ): ଆଜି ନିଜ ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଥିପାଇଁ ଖୁସି କାହିଁରେ କେତେ । ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ । ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳାରେ ଖେଳିଯାଇଛି ଆନନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ନିଜ ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିବେ ଅଞ୍ଚଳବାସୀ । ଏଥିସହିତ, ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନପସନ୍ଦର ଖାଦ୍ୟ ମଧ୍ୟ ପରସିବେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳ ସାଢେ ୧୦ଟାରେ ଘଟଗାଁ ହାଇସ୍କୁଲ୍ ପଡିଆରେ ହେଲିକ୍ୟାପଟର୍ ଯୋଗେ ଅବତରଣ କରି ପ୍ରଥମେ ମାତାରିଣୀଙ୍କର ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ୧୨ଟା ୪୦ମିନିଟ୍ ରେ ହେଲିକ୍ୟାପଟର୍ ଯୋଗେ କେନ୍ଦୁଝର ସର୍କିଟ୍ ହାଉସ୍ ରେ ପହଞ୍ଚିବେ । ଏଠାରେ ମଧ୍ୟାହ୍ନ ଭୋଜନ ପରେ, ୩ଟା ୧୦ମିନିଟ୍ ରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ । ଏହାପରେ, କେନ୍ଦୁଝର ଷ୍ଟାଡିୟମ୍ ରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦବୋଧନ ଦେବେ ।
୨୪ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳାରେ ହେଲିକ୍ୟାପଟର୍ ଯୋଗେ ପହଞ୍ଚି ଝୁମ୍ପୁରାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ, ସେ ନିଜ ଘର ରାଇକଳାରେ ମଧ୍ୟାହ୍ନଭୋଜନ କରି ସେଠାରୁ ଭୁବନେଶ୍ୱର ଫେରିଯିବେ । ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତକୁ ନେଇ କେନ୍ଦୁଝରର ଜନସାଧାରଣ ଖୁସିବ୍ୟକ୍ତ କରିବା ସହିତ, ଏହାଦ୍ବାରା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି କହିଛନ୍ତି ।
ଏପଟେ ମୁଖ୍ୟମନ୍ତ୍ରୀ ନିଜ ଗାଁକୁ ଆସୁଥିବା ଖବର ପାଇ ଗାଁ ଲୋକ ଏକାଠି ହୋଇ ଗାଁକୁ ସଫା କରିବା ସହ ଗାଁ ରାସ୍ତା କାମ କରିବାରେ ଲାଗି ପଡିଛନ୍ତି । ତା ପୁଣି ନିଜେ ଶ୍ରମଦାନ କରି । ଆଶା ରଖିଛନ୍ତି ଗାଁର ପୁଅ ଗାଁ ପାଇଁ କିଛି କରିବେ ବୋଲି ।
ତେବେ ନିର୍ବାଚନରେ ଗାଁ ଲୋକ ମୋହନକୁ ଏକ ତରଫା ଭୋଟ ଦେଇ ଜଣାଇ ଦେଇଛନ୍ତି କି ସେମାନେ ତାଙ୍କ ସାଙ୍ଗରେ ଅଛନ୍ତି । ସେହିପରି ଗାଁର ସରପଞ୍ଚ ,ବିଧାୟକ ଓ ବିଧାୟକରୁ ମୁଖ୍ୟମନ୍ତ୍ରୀ ହେବାପରେ ଯେତେବେଳେ ନିଜ ଗାଁକୁ ଆସୁଛନ୍ତି , ସେତେବେଳେ ମଧ୍ୟ ଗାଁ ଲୋକ ଏକାଠି ଥିବା ପ୍ରମାଣ ଦେଇଛନ୍ତି ।