ରତନ ଟାଟାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପପତି ରତନ ଟାଟାଙ୍କ ପରଲୋକ ଦୁଃଖଦାୟକ, ଦେଶ ଜଣେ ଶିଳ୍ପ ଲିଜେଣ୍ଡଙ୍କୁ ହରାଇଲା ବୋଲି ଟ୍ବିଟ କରି କହିଲେ ମୁଖ୍ୟମନ୍ତ୍ରୀ । ଦେଶର ବିକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ଗଭୀର ସମବେଦନା ଜଣାଉଛି କହିଲେ ମୁଖ୍ୟମନ୍ତ୍ରୀ ।  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି। ରତନ ଟାଟା ଜଣେ ସୁବର୍ଣ୍ଣ ହୃଦୟଧାରୀ ମଣିଷ ଥିଲେ ।  ବ୍ୟବସାୟ ତଥା ଉଦ୍ୟୋଗ ଜଗତ ପାଇଁ ତାଙ୍କ ଅବଦାନ ସ୍ମରଣୀୟ। ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ଥିଲେ କହିଲେ କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଦେଶର ଖ୍ୟାତାନାମା ଉଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ପରଲୋକ ଘଟିଛି ।  ୮୬ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ବିଜନେସ୍ ଟାଇକୁନ ରନତ ଟାଟା ।  ଏ ନେଇ ଟାଟା ଗ୍ରୁପ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଥିଲା । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଭାରତ ଉଦ୍ୟୋଗଜଗତରେ ଅପୂରଣୀୟ କ୍ଷତି ଘଟିଛି । ପଦ୍ମବିଭୂଷଣ ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।