ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିବା ବେଳେ ଭାବବିହ୍ଵଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ, ରୋକି ପାରି ନଥିଲେ ଆଖିର ଲୁହ

କେନ୍ୟୁଜ: ନବୀନଙ୍କ ଆଖିରେ ଲୁହ । ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିବା ବେଳେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ । ଭାବବିହ୍ଵଳ ହୋଇ ଯାଇଥିଲେ । ରୋକି ପାରି ନଥିଲେ ଆଖିର ଲୁହ । ଜର୍ମାନରେ ଗବେଷଣା କରୁଥିବା ସମ୍ବଲପୁର ଜିଲ୍ଲାର ଶେଷ କିଷାନଙ୍କ ସଂଘର୍ଷର କଥା ଶୁଣି କୋହ ସମ୍ଭାଳି ପାରି ନଥିଲେ ମୁଖ୍ୟମନ୍ତ୍ରୀ । ଆଖିରୁ ଲୁହ ଝରି ଆସିଥିଲା ।

ଶେଷ କିଷାନ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେତେବେଳେ ବାଥରୁମ୍‌ ଚପଲ ପିନ୍ଧି ଆସିଥିଲେ । ହାତରେ ନୋକିଆ ଫୋନ୍‌ ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିଲେ ଆଇଫୋନ୍‌ । ଘର କରିବାରେ ସହାୟତା ବି କରିଥିଲେ । ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେଦିନର କଥା ମନେ ପକାଇଥିଲେ ଶେଷ କିଷାନ । ନବୀନଙ୍କୁ ତାଙ୍କର ବାପାମାଆ ବୋଲି କହିଥିଲେ । ତାଙ୍କର ମର୍ମସ୍ପର୍ଶୀ କଥା ଶୁଣି କୋହ ସମ୍ଭାଳି ପାରିନଥିଲେ ମୁଖ୍ୟମନ୍ତ୍ରୀ ।

ରୋମ ଗସ୍ତରେ ଥିବା ନବୀନ ୟୁରୋପର ବିଭିନ୍ନ ରାଷ୍ଟ୍ରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶାର ବିକାଶ ନେଇ ପ୍ରବାସୀ ଓଡ଼ିଆଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଓଡ଼ିଶାର ବିକାଶରେ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ ପାଇଁ ଆହ୍ଵାନ ଦେଇଛନ୍ତି । ସୁଦୁର ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ, ତାଙ୍କ ସହ ସମୟ ବିତାଇ ପ୍ରବାସୀ ଓଡ଼ିଆ ଭାରି ଖୁସି ।

cm

ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହୋଇଥିଲା ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରଠୁ ଓଡ଼ିଶା କିଭଳି ଅଭୂତପୂର୍ବ ବିକାଶ କରିପାରିଛି ସେ ବାବଦରେ କହିଥିଲେ । ଖାଦ୍ୟଶସ୍ୟ ନିଅଣ୍ଟିଆ ରାଜ୍ୟ ଓଡ଼ିଶା ଏବେ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି । ବାତ୍ୟା ମୁକାବିଲାରେ ସାରା ବିଶ୍ୱକୁ ବାଟ ଦେଖାଇଛି ଓଡ଼ିଶା।

ମହିଳା ସଶକ୍ତିକରଣ, ସ୍କୁଲ ରୂପାନ୍ତରୀକରଣର ଉଦ୍ଦେଶ୍ୟକୁ ବଖାଣିଥିଲେ ଫାଇଭ୍‌ ଟି ସଚିବ । ସେହିପରି ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି ବିକାଶରେ ସରକାରଙ୍କ ପଦକ୍ଷେପ ବାବଦରେ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇଥିଲେ । ତେବେ ସୂଚନା ଥାଉକି ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୯ ତାରିଖରେ ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.