ଭବାନୀପାଟଣାରେ ମିସନ ଶକ୍ତି ସମାବେଶରେ ବହୁ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ରେତ୍ ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟିତ । କଳାହାଣ୍ଡି ଗସ୍ତରେ ଯାଇ ୭୬୮ କୋଟି ଟଙ୍କାରେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରେ ମିସନ ଶକ୍ତିର ମହାସମାବେଶରେ ଅନେକ ଲୋକାଭିମୂଖୀ ପ୍ରକଳ୍ପର ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ । ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦେଇ କଳାହାଣ୍ଡିରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଘୋଷଣା କରିଛନ୍ତି।

ଦିନିକିଆ କଳାହାଣ୍ଡି ଗସ୍ତରେ ଯୁବପୀଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ଭବାନୀପାଟଣା ସରକାରୀ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ସରକାରୀ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଖୋଲିବାକୁ ନବୀନ ଘୋଷଣା କରିଛନ୍ତି। ଏହାର ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ସରକାର ୫କୋଟି ଟଙ୍କା ପ୍ରଦାନ କରିବେ। ସେହିପରି ୭୬୮ କୋଟି ୪୬ ଲକ୍ଷ ଟଙ୍କାରେ ନିର୍ମିତ ରେତ୍ ମଧ୍ୟମ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହାଦ୍ୱାରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର ୭୯ଟି ଗାଁର ୮ ହଜାର ୫ଶହ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ଆଜି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ୯୧୦କୋଟି ୫୭ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏହାସହ ୪୩୫କୋଟି ୮୨ଲକ୍ଷ ବ୍ୟୟରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଭବାନୀପାଟଣରେ ମିସନ ଶକ୍ତି ମହାସମାବେଶରେ ଯୋଗ ଦେଇଥିଲେ ନବୀନ। ୧୧ ହଜାର ୧୨୨ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି, ୧୪ ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

kalahandi 2

ଏହାପୂର୍ବରୁ ଜୁନାଗଡ଼ରେ ବିଜେଡିର ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଥିଲେ। ଫୋକସ୍ରେ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା । ୧୯’ ସାଧାରଣ ଓ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେତିକି ତତ୍ପର ହୋଇଉଠୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ରହିଛି ୫ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା କ୍ଷେତ୍ର । ଏହି ଲୋକସଭା ଆସନରେ ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେପି ଜିତିଥିଲା । ୨୦୦୯ରେ କଳାହାଣ୍ଡି ଲୋକସଭା ଆସନ ଯାଇଥିଲା କଂଗ୍ରେସ ହାତକୁ ।

ଆଉ ୨୦୧୪ରେ ବିଜେଡି କଳାହାଣ୍ଡି ଲୋକସଭା ଆସନରେ ବିଜୟ ବାନା ଉଡ଼ାଇଥିଲା । ଏହି ନିର୍ବାଚନରେ ବିଜେଡି ସାଂସଦ ଅର୍କ କେଶରୀ ଦେଓ ୩ ଲକ୍ଷ ୭୦ହଜାର ଭୋଟ ପାଇ ବିଜୟୀ ହୋଇଥିଲେ । ତାଙ୍କୁ ମିଳିଥିଲା ୩୩ ପ୍ରତିଶତ ଭୋଟ । ଦ୍ୱିତୀୟ ସ୍ଥାନରେ ଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକ । ତାଙ୍କୁ ମିଳିଥିଲା ୩ଲକ୍ଷ ୧୪ହଜାର ଭୋଟ । ୨୮ ପ୍ରତିଶତ ଭୋଟ ପାଇଥିଲେ ପ୍ରଦୀପ । ତୃତୀୟ ସ୍ଥାନରେ ଥିଲେ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ । ତାଙ୍କୁ ମିଳିଥିଲା ୩ ଲକ୍ଷ ୭ ହଜାର ଭୋଟ । ୨୭ ପ୍ରତିଶତ ଭୋଟ ପାଇଥିଲେ ଭକ୍ତ ଦାସ । ବିଜେଡିର ଅର୍କ କେଶରୀ ୫୬ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଯାହାକି ଲୋକସଭା କ୍ଷେତ୍ରରେ କମ ବ୍ୟବଧାନରେ ବିଜୟ ।

କଳାହାଣ୍ଡି ଲୋକସଭା କ୍ଷେତ୍ର କେବେ ବିଜେପି ତ କେବେ କଂଗ୍ରେସ ଓ ପୁଣି କେବେ ବିଜେଡି ଦଖଲରେ ରହିଛି। ତେଣୁ ଏଥର କଳାହାଣ୍ଡି ଲୋକସଭା ଆସନରେ କିଏ ବିଜୟୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏହି ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିଲା । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି ଏହି ଜିଲ୍ଲକୁ ଗସ୍ତ କରିସାରିଛନ୍ତି । ସେହିପରି ବିଜେଡି ଓ କଂଗ୍ରେସର ହେଭିୱେଟ ମଧ୍ୟ ଏଠାକୁ ଘନ ଘନ ଗସ୍ତ କରୁଛନ୍ତି ।