ଭୋରରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତି, ଆଜି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ୭ଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ପୁରୀ (କେନ୍ୟୁଜ୍) : ଆଜି ଭୋରରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି । ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ଜାରୀ ରହିଛି । ମନ୍ଦିରରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି । ସେପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ପୁରୀରେ ସାତଟି ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମଧ୍ୟାହ୍ନ ୧୨ଟାରେ ପୁରୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ ପରେ ମୁନସିପାଲ ମାର୍କେଟ୍‌ ସ୍ଥାନରେ ୭ଟି ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ । ଏହି ଯୋଜନା ଗୁଡିକ ମଧ୍ୟରେ ରହିଛି ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର, ହସ୍ପିଟାଲ ନିକଟ ଜେଲ ରୋଡ୍‌ରେ ବହୁତଳ କାର ପାର୍କିଂ ବ୍ୟବସ୍ଥା, ବଡ଼ଦାଣ୍ଡରେ ମୁନସିପାଲ ମାର୍କେଟ୍‌ର ପୁନଃ ନିର୍ମାଣ, ସ୍ୱର୍ଗଦ୍ୱାର ଉନ୍ନୟନ କାର୍ଯ୍ୟ, ବେଳାଭୂମିରେ ଭେଣ୍ଡିଂ ଜୋନ୍‌ ନିର୍ମାଣ, ଏବଂ ମିଡ୍‌ ଡେ ମିଲ ଓ ଆହାର ଯୋଜନା ପାଇଁ ଅତ୍ୟାଧୁନିକ ରୋଷେଇ କେନ୍ଦ୍ର ।

ଅବଢା ଯୋଜନାରେ ହେବାକୁ ଥିବା ୨.୩ କିଲୋମିଟର ବିଶିଷ୍ଟ ଶ୍ରୀସେତୁରେ ୧୮୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରରେ ୧୯୦ କୋଟି, ବହୁତଳ ପାର୍କିଂ ପାଇଁ ୯୦ କୋଟି, ମାର୍କେଟ ନିର୍ମାଣ ପାଇଁ ୪୪.୮୨ କୋଟି ଓ ଭେଣ୍ଡିଂ ଜୋନ୍‌ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍‌ରୁ ଅର୍ଥ ବ୍ୟବସ୍ଥା କରିଛନ୍ତି । ମୁନସିପାଲିଟି ମାର୍କେଟ୍‌ ସ୍ଥଳରେ ଏହି ସମସ୍ତ ଯୋଜନାର ଏକତ୍ର ଶିଳାନ୍ୟାସ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.