ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ସମ୍ମିଳନୀ ଶେଷ କରି ଗତକାଲି ରାତିରେ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକଙ୍କୁ ତାଙ୍କର ଗସ୍ତ ସଫଳତା ସଂପର୍କରେ କହିଛନ୍ତି । ସେ କହିଲେ ଯେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡିଶା ପରେ ନୂଆ ଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ । ଏପ୍ରିଲ ୭ ଓ ୮ ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଦିଲ୍ଲୀରେ ଅନେକ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛି ।  HCL କୁ ମୁଁ ଓଡ଼ିଶାରେ କ୍ୟାମ୍ପସ୍‍ କରିବା ପାଇଁ ପ୍ରସ୍ତାବ ଦେଇଛି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସକରାତ୍ମକ ମତାମତ ମିଳିଛି।

ମୋ ପାଇଁ ସବୁଠୁ ଖୁସିର କଥା ହେଉଛି ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଓଡିଶାକୁ ନେଇ ଖୁବ୍‍ ଆଗ୍ରହୀ ଅଛନ୍ତି ।  ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଓଡ଼ିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ, ତାହା ସଫଳ ହେଉଛି ଏବଂ ଓଡ଼ିଶାକୁ ବ୍ୟାପକ ପୁଞ୍ଜି ଆସିବାର ସୁଯୋଗ ସୃଷ୍ଟି ହୋଇଛି ।  ଦିଲ୍ଲୀରେ ଏହି ଗସ୍ତ ସମୟରେ ଆମେ ସମୁଦାୟ ୧୩ଟି ଚୁକ୍ତି ସ୍ୱାକ୍ଷର କରିଛୁ ।  ଏବଂ ଏହା ସହିତ ୧୫ଟି ଇନ୍‌ଭେଷ୍ଟ୍‌ମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ଆସିଛି ।  ଏହା ଦ୍ୱାରା ୧ଲକ୍ଷ ୩ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ୯୫ହଜାର ୧୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି IOCL ସହିତ ଆମର MoU । IOCL ଓଡିଶାରେ ୫୮ହଜାର ୪୨କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଏବଂ ଏହା ଦ୍ୱାରା ୨୪ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ  ।  IOCL, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିମିଟେଡ୍ ଏବଂ ପେଟ୍ରୋନେଟ୍ ଏଲ.ଏନ.ଜି ସହିତ ଆମର ଏମ.ଓ.ୟୁ ଯୋଗୁ ଓଡିଶାକୁ ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମାର୍ଗ ପ୍ରସ୍ତୁତ ହୋଇପାରିଛି  ।

ଏହାଦ୍ୱାରା ପେଟ୍ରୋକେମିକାଲ କ୍ଷେତ୍ରରେ ଅନେକ ଡାଉନଷ୍ଟ୍ରିମ୍‍ ଓ ଆନ୍‍ସିଲାରି ୟୁନିଟ୍‍ ସ୍ଥାପନ ହେବାର ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି ଏବଂ ଓଡ଼ିଶାକୁ ଏକ ବନ୍ଦରଭିତ୍ତିକ ଅର୍ଥନୀତି କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ସଫଳ ହେବ ।  ଏହି ଚୁକ୍ତିନାମା ଓଡିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ପେଟ୍ରୋକେମିକାଲ ବିକାଶ କ୍ଷେତ୍ରରେ ଓଡିଶା ପାଇଁ ଏହା ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ ।  ଏହି ଗସ୍ତରେ ଆମ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ଦକ୍ଷ ଯୁବ ବର୍ଗ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ୟାପକ ନିଯୁକ୍ତି ଆଣିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

 

 

ଆହୁରି ପଢ଼ନ୍ତୁ : ଆସୁଛନ୍ତି ଜେପି ନଡ୍ଡା, ଆସନ୍ତାକାଲି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ