ଭୁବନେଶ୍ୱର : କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରିଛନ୍ତି । ଉପକୂଳ ଓଡ଼ିଶାରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଛନ୍ତି । କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ପ୍ରବାହ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି । ସମସ୍ୟାର ସମାଧାନ ପାଇଁ ଏସଆରସିଙ୍କ ସମେତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ପ୍ରାକ୍ ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ଏପଟେ ପ୍ରବଳ ବର୍ଷା ପ୍ରଭାବରେ ଆସନ୍ନ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଥିବା ବେଳେ ଆଗୁଆ ତତ୍ପର ହୋଇଛି ଏସଆରସି । ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଥିବା ବେଳେ ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ।
ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ପାହାଡିଆ ସ୍ଥାନରେ ଭୂସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ପ୍ରସାଶନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ଦୁର୍ବଳ ନଦୀ ବନ୍ଦ ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ନିୟନ୍ତ୍ରଣ ଯନ୍ତ୍ରପାତି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମହଜୁଦ ରଖାଯାଇଛି । ସହରାଞ୍ଚଳରେ ଜଳ ନିଷ୍କାସନ ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି । ସହରାଞ୍ଚଳ ଜଳ ନିଷ୍କାସନ ଲାଗି ଭୁବନେଶ୍ୱରରେ ୩୦, କଟକରେ ୧୦, ପୁରୀରେ ୧୦ ସେଟ ଅତିରିକ୍ତ ପମ୍ପ ମହଜୁଦ ରଖାଯାଇଛି ।
:ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । କୋରାପୁଟ ଜିଲ୍ଲାର ୬ ବ୍ଲକ ପ୍ରଭାବିତ ହୋଇଛି । ପ୍ରଭାବିତ ବ୍ଲକ ହେଉଛି ଜୟପୁର, ବୈପାରିଗୁଡା, କୁନ୍ଦ୍ରା, ବୋରିଗୁମା, ସେମିଳିଗୁଡା ଓ କୋରାପୁଟ । ଜିଲ୍ଲାର ୩୬ ଗାଁର ୭୫୩ ଲୋକ ପ୍ରଭାବିତ ହୋଇଥିବାବେଳେ ୧୫୦ ଘର ଭାଙ୍ଗିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ସେହିପରି ପ୍ରବଳ ବର୍ଷା ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ୨ଟି ବ୍ଲକ ପ୍ରଭାବିତ ହୋଇଛି । ମାଲକାନଗିରି ଓ କାଲିମେଳା ବ୍ଲକର ପ୍ରଭାବିତ ୬ ଗାଁର ୫୦୪ ଲୋକଙ୍କୁ ୪ଟି ରିଲିଫ ସେଣ୍ଟର ସ୍ଥାନାନ୍ତରିତ କରାଯାଇଛି । ୮ଟି ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।