ମାଲକାନଗିରି : ବନ୍ୟା ପ୍ରଭାବିତ ମାଲକାନଗିରିରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାତଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପଠାଇବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜିଲ୍ଲାପାଳ ସହ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।
ଅଗ୍ରାଧିକାର ଭିତ୍ତିରେ ଭାଙ୍ଗି ଯାଇଥିବା କଚ୍ଚା ଘର ପାଇଁ ସହାୟତା ଓ ବିଜୁଳି ସଂଯୋଗୀକରଣ ନିମନ୍ତେ ସେ ଗୁରୁତ୍ଵାରୋପ କରିଥିଲେ । ଜଣେ ମଧ୍ୟ ବିପନ୍ନ ସରକାରୀ ସହାୟତା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷାରେ ଜଳବାହିତ ରୋଗକୁ ପ୍ରତିହତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବନ୍ୟା ସମୟରେ ଲୋକଙ୍କୁ ସଚେତନ କରିବା ସହ ଜିଲ୍ଲା ପ୍ରଶାସନ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବାରୁ ଜିରୋ କାଜୁଆଲଟି ସହ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଓଡ୍ରାଫ, ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟର ପ୍ରଶଂସା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶା ରିଲିଫ୍ କୋଡ ଅନୁଯାୟୀ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପର୍ଯ୍ୟାପ୍ତ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।