ନକ୍ସଲ ନିପାତ ନେଇ ବଡ଼ ବୈଠକ, ଯୋଗଦେବେ ଓଡ଼ିଶା ସମେତ ଆଠଟି ନକ୍ସଲ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ନକ୍ସଲ ନିପାତ ନେଇ ବସିବ ବଡ଼ ବୈଠକ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ହେବ ମାଓ ମୁକାବିଲା ରଣନୀତି ନେଇ ବୈଠକ । ଏଥିରେ ଓଡ଼ିଶା ସମେତ ଆଠଟି ନକ୍ସଲ ଅଧ୍ୟୁଷିତ ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶ ଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ମୁଖ୍ୟ ସଚିବ, ପୋଲିସ ଡିଜି ମଧ୍ୟ ଯୋଗ ଦେବେ । ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୁଖ୍ୟ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେବା ପାଇଁ ଆଜି ଦିଲ୍ଲୀ ଯିବେ। ଏଥିରେ ପାଞ୍ଚ ଜଣ କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଯୋଗ ଦେବେ।
ଏହାସହ କେନ୍ଦ୍ର ସୁରକ୍ଷା ବାହିନୀ CAPFର ଅଧିକାରୀ ଯୋଗ ଦେବେ। ଏଥିରେ ଡେପୁଟି NSA ମଧ୍ୟ ଯୋଗ ଦେବେ । ବୈଠକରେ ଫୋକସରେ ରହିବ ଲାଲ ବାହିନୀ ମୁକାବିଲା ନେଇ ସମନ୍ଵିତ ଅପରେସନ, ଗୁଇନ୍ଦା ତଥ୍ୟ ର ଆଦାନ ପ୍ରଦାନ ଓ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ପ୍ରଦାନ । ଏହା ସହ ନକ୍ସଲ ଅଧ୍ୟୁଷିତ ଅଞ୍ଚକରେ ରାସ୍ତା ଘାଟ, ଟେଲିଫୋନ ଟାୱାର, ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ।ଏହାପୂର୍ବରୁ ଗତ ୨୪ ତାରିଖରେ ଛତିଶଗଡ଼ର ରାୟପୁରରେ ନକ୍ସଲ ଅଧ୍ୟୁଷିତ ରାଜ୍ୟର ବୈଠକ ବସିଥିଲା ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନକ୍ସଲପ୍ରବଣ ୮ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜି ସାମିଲ ହୋଇଥିଲେ । ଓଡ଼ିଶାର ମୁଖ୍ୟ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ୱାଇ ବି ଖୁରାନିଆ ଯୋଗ ଦେଇଥିଲେ । ବୈଠକରେ ବାମପନ୍ଥୀ ଉଗ୍ରବାଦକୁ ଦମନ କରିବାକୁ ଆନ୍ତଃରାଜ୍ୟ ସମନ୍ବୟ ଉପରେ ଜୋର ଦିଆଯାଇଥିଲା । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ଦେଶରୁ ନକ୍ସଲ ମୂଳପୋଛ ପାଇଁ ଗୃହ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହାପରେ ଲାଲ ବାହିନୀ ବିରୋଧରେ ଅପରେସନ ଅଲଆଉଟ ଜୋରଦାର ହୋଇଛି ।