ପ୍ରବାସୀ ଭାରତୀୟ ସମ୍ମିଳନୀ: ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, କହିଲେ ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର
![cm 1sta](https://knewsodisha.com/wp-content/uploads/2025/01/cm-1sta.jpg)
ଭୁବନେଶ୍ୱର : ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଛି । ଏହାକୁ ନେଇ ରାଜଧାନୀରେ ଉତ୍ସବର ମାହୋଲ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି । ପ୍ରଥମେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀରେ ନିଜର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଅଜସ୍ର ସ୍ନେହ ଏବଂ ଶ୍ରଦ୍ଧାର ସହ ଆମେ ଆପଣ ମାନଙ୍କ ଅପେକ୍ଷାରେ ଥିଲୁ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି । ଆପଣମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ । ଏହି ସମୟ ଜୀବନର ଅଭୁଲା ସ୍ମୃତି ହୋଇ ରହିବ । ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ । ଆପଣ ମାନେ ଆମର ସାଂସ୍କୃତିକ ଆମ୍ବାସଡର, ଆପଣ ମାନେ ଆମର ଗର୍ବ । ଆମର ବିଶ୍ବାସ ଏହି ଅନୁଭୂତିକୁ ବିଶ୍ଵ ଦରବାରରେ ଆପଣ ମାନେ ପହଞ୍ଚାଇବେ ।
ଏହା ମଧ୍ୟ କହିଛନ୍ତି ଓଡିଶାର ସଂସ୍କୃତି ଓ ଐତିହ୍ୟ ସ୍ଵତନ୍ତ୍ର । ମୁଁ ଚାହୁଁଛି ଆପଣ ଓଡିଶାର ସଂସ୍କୃତି ଓ ଐତିହ୍ୟ ଜାଣନ୍ତୁ । ପୁରୀ, କୋଣାର୍କ , ଧଉଳି ଏବଂ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲନ୍ତୁ । ଡାଲମା, ରସଗୋଲା, ଛେନାପୋଡ ଭଳି ଓଡିଆ ଖାଦ୍ୟର ମଜା ନିଅନ୍ତୁ । ଏହି ଅବସରରେ ଭୁବନେଶ୍ଵରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଆପଣମାନେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖନ୍ତୁ । ଏହାଦ୍ଵାରା ସମ୍ପର୍କ ଆହୁରି ମଜବୁତ୍ ହେବ ଏବଂ ଅତୁଟ ରହିବ । ଏକାଠି କାମ କଲେ ଆମେ ଆହୁରି ସଶକ୍ତ ହେବା ଏବଂ ବିକଶିତ ଭାରତ ଗଠନ ହେବ । ପ୍ରବାସୀ ଭାରତୀୟ ଦିବସ କାର୍ୟ୍ୟକ୍ରମ ଓଡ଼ିଶାର ଆୟୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।