ନୟାଗଡ଼ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଇକୋଟୁରିଜମ୍‌ କାର୍ଯ୍ୟ ବୁଲି ଦେଖିଲେ

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ନୟାଗଡ ସହରରେ ଇକୋଟୁରିଜମ୍‌ କାର୍ଯ୍ୟ ଓ ବଲାଙ୍ଗିବନ୍ଧ ପାର୍କ ବୁଲି ଦେଖିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ଷ୍ଟାଫ୍‌ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରେ ସୁନାଲଟିଠାରେ ଚାଲିଥିବା ୩୨୮ କୋଟିର କୁସୁମି ବ୍ୟାରେଜ ନିର୍ମାଣ ଓ ଜଳସେଚନ କାର୍ଯ୍ୟର ସମୀକ୍ଷା କରିଛନ୍ତି ସିଏସ୍‌ । ଆସନ୍ତା ୫ମାସ ମଧ୍ୟରେ ବ୍ୟାରେଜ ନିର୍ମାଣ ଶେଷ କରିବାକୁ ଚେଷ୍ଟା କରାଯାଉଛି। ଏହାସହ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଓ ଜିଲ୍ଲାର ସ୍ୱପ୍ନ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସେ ସମୀକ୍ଷା କରିଛନ୍ତି ।

ରେଳପଥ ନିର୍ମାଣ ପାଇଁ ନୟାଗଡ ଜିଲ୍ଲାର ୯୯ ଗାଁ ମଧ୍ୟରୁ ୯୮ ଗାଁରେ ଜମି ଅଧିଗ୍ରହଣ ସରିଛି । ୭ଦିନ ମଧ୍ୟରେ ଆଉ ଗୋଟିଏ ଗାଁରୁ ଜମି ଅଧିଗ୍ରହଣ ସରିବ । ଦଶପଲ୍ଲା ବ୍ଲକର ବୃତ୍ତଙ୍ଗ ନଦୀରେ ସେତୁ ନିର୍ମାଣ ପାଇଁ ଫାଷ୍ଟ ଫେଜ୍‌ କ୍ଲିଅରାନ୍ସ ସମୟରେ ୩୦ଟି ସର୍ତ୍ତ ରହିଥିବାବେଳେ ସେଥିମଧ୍ୟରୁ ପ୍ରାୟ ସବୁ ସର୍ତ୍ତ ପୁରଣ ସରିଛି । ବାକି ଯାହା ଅଛି ତୁରନ୍ତ ପୂରଣ କରାଯାଇ ସେକେଣ୍ଡ ଫେଜ୍‌ ଫରେଷ୍ଟ କ୍ଲିଅରାନ୍ସ ପାଇଁ ପଦକ୍ଷେପ ନେବାକୁ ବ୍ୟବସ୍ଥା କରାଯିବ । ଏହାସହ ଶରଣକୂଳର ଝାଡେଶ୍ୱରୀ ମନ୍ଦିର ଓ ଓଡଗାଁ ରଘୁନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତାଙ୍କ ସହ ବିଧାୟକ ଅରୁଣ ସାହୁ , ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.