ବଢିବ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ୬ ମାସ ନା ଏକ ବର୍ଷ ବଢିବ ପାୱାର କରିଡରରେ ଚର୍ଚ୍ଚା

ଭୁବନେଶ୍ୱର : ବଢିବ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ଯେ କୌଣସି ମୁହୂତ୍ତରେ ଏ ନେଇ ବିଧିବଦ୍ଧ ଭାବେ ପ୍ରକାଶ ପାଇପାରେ ବିଜ୍ଞପ୍ତି ।  ତେବେ ୬ମାସ ନା ଏକ ବର୍ଷ ବଢିବ କାର୍ଯ୍ୟକାଳ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ । ଜାନୁଆରୀ ମାସରେ ରାଜ୍ୟରେ ରହିଛି ଦୁଇ ବଡ଼ ଇଭେଣ୍ଟ ।  ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଓ ୨୮-୨୯ତାରିଖରେ ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ । ଏହାର ଆୟୋଜନ ଠାରୁ ପରିଚାଳନାରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଚଳିତ ମାସ ୩୧ରେ କିନ୍ତୁ ସରୁଛି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ।  ତେଣୁ ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ବଢିବା ଏକପ୍ରକାର ନିଶ୍ଚିତ ।  ଜୁନ୍ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାର ଶପଥ ନେଇଥିଲେ ।  ଏହାପରେ ଜୁଲାଇ ୧ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ମନୋଜ ଆହୁଜା । ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ରୀୟ ଡେପୁଟେସନରୁ ସେ ଓଡିଶା ଫେରିଥିଲେ । ୩୪ବର୍ଷର ଚାକିରି କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ଦାୟିତ୍ବ ତୁଲାଇଛନ୍ତି ।