ଭୁବନେଶ୍ୱରରେ ମନୋଜ ଆହୁଜା, ଆଜି ସରୁଛି ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ଯକାଳ
ଭୁବନେଶ୍ୱର: ଆଜି ସରିବ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ଯକାଳ । ଆଜିଠୁ ଦାୟିତ୍ବ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । କାର୍ଯ୍ୟକାଳ ସରିବା ପୂର୍ବରୁ ଗତକାଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଦୀପ କହିଛନ୍ତି, ମୁଁ ମୋ ଜୀବନର ଏକ ନୂତନ ସୋପାନରେ ପାଦ ଦେବାକୁ ଯାଉଛି । ଜଣେ ନାଗରିକ ହିସାବରେ ରାଜ୍ଯର ବିକାଶ ପାଇଁ କାମ କରିବାକୁ ସମସ୍ତଙ୍କଠୁ ଆଶୀର୍ବାଦ କାମନା କରିଛନ୍ତି । ସେ କହିଛନ୍ତି, ଲୋକେ କରିଥିବା ଅନେକ ଆଶା ମୋ ସୀମାର ବାହାରେ ଥିଲା । ଅନେକ ସମୟରେ ଲୋକ ଭାବିଥାନ୍ତି ମୁଖ୍ଯ ଶାସନ ସଚିବ ସବୁକିଛି କରିପାରିବେ । କିନ୍ତୁ ଏହା ସତ ନୁହେଁ କାରଣ ମୁଁ ବିଧିବ୍ଯବସ୍ଥାରେ ବନ୍ଧା । କିଛି କ୍ଷେତ୍ରରେ ମୁଁ ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ଯ ମୋର ପରିସୀମା କାରଣରୁ କରିପାରିନାହିଁ । ସରକାରୀ କାର୍ଯ୍ଯରୁ ଅବସର ନେବାପରେ ମଧ୍ଯ ମୁଁ ଲୋକଙ୍କ ସମସ୍ଯାର ସମାଧାନ ପାଇଁ ଚେଷ୍ଟା କରିବି । ସୋସିଆଲ ମିଡିଆ ଏକ୍ସରେ ମୁଁ ଅନେକଙ୍କର ପ୍ରଶ୍ନର ଯଥାସମ୍ଭବ ଉତ୍ତର ଦେବାକୁ ଚେଷ୍ଟା କରିଛି । ତେବେ ସମୟର ଅଭାବ ଯୋଗୁ କିଛି ଜଣଙ୍କୁ ଉତ୍ତର ଦେଇପାରିନାହିଁ । ସେଥିପାଇଁ କ୍ଷମା ମାଗିଛନ୍ତି ମୁଖ୍ଯ ଶାସନ ସଚିବ ।
ସେପଟେ ଓଡ଼ିଶା ଆସି ପହଞ୍ଚିଛନ୍ତି ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛନ୍ତି ମନୋଜ ଆହୁଜା। ମୁଖ୍ୟ ଶାସନ ସଚିବ ଭାବରେ ନାମ ଘୋଷଣା ପରେ ଓଡ଼ିଶା ଫେରିଛନ୍ତି ମନୋଜ। ଆଜି ଅପରାହ୍ନରେ ନୂଆ ମୁଖ୍ୟ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିପାରନ୍ତି ମନୋଜ ଆହୁଜା। ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିଅର ଆରମ୍ଭ କରିଥିଲେ ମନୋଜ ଆହୁଜା। ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ। ଏହାପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ।