ବ୍ରହ୍ମପୁର : ଗଂଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୦ ରେ । ଗତ ଅଗଷ୍ଟ ୧୯ ତାରିଖରେ ଚିକିଟି ବ୍ଲକ୍ କେ. ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗ୍ରାମରେ କରବାଲୁଆ ଜେନାପୁର ଗ୍ରାମର ୨୩ ଜଣ ଦେଶୀ ରନ୍ଧା ମଦ ପିଇ ଗୁରୁତର ହୋଇ ପଡ଼ିଥିଲେ ।
ଏହି ଘଟଣା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଥିଲା । ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସେଦିନ ଠାରୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମାଧ୍ୟମରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ଅବକାରୀ ଜିଲ୍ଲା ଭାରପ୍ରାପ୍ତ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ ।
ଏହି ଚଢ଼ାଉ ପାର୍ବଣ ଋତୁ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଏଯାବତ୍ ୬୦ଟି ସ୍ଥାନରେ ଚଢ଼ାଉ କରି ୪୦ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ୮୦ଟି ମାମଲା ରୁଜୁ ହେବା ସହ ୭୨ ହଜାର କେଜି ପୋଚ ନଷ୍ଟ କରାଯାଇଛି । ମଦରେ ଏକ ନିଦ୍ଦିଷ୍ଟ ଚେର ମିଶିଥିବା କୁହାଯାଉଥିଲେ ବି ତାର ତଦନ୍ତ ଚାଲିଛି ।