ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ :ଝିଅକୁ କାନ୍ଧେଇ ୨କିମି ରାସ୍ତା ଚାଲି ଚାଲି ଗଲା ବାପା, ହେଲେ ବଞ୍ଚାଇ ପାରିଲାନି

ରେଢାଖୋଲ(କେନ୍ଯୁଜ୍): ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ , ଅସାବଧାନତା ଯୋଗୁଁ ଏହି କୁନି ଝିଅଟି ଏକ କୁଅରେ ପଡ଼ିଯାଇଥିଲା । ବହୁତ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରାଗଲା ।  ମେଡିକାଲ ନେବାପାଇଁ ତୁରନ୍ତ ଆମ୍ବୁଲାନ୍ସ ମଧ୍ଯ ଡକାଯାଇଥିଲା । ହେଲେ ଗାଁ କୁ ଯିବା ବାଟରେ ଏକ ନାଳ ପଡ଼ିଥାଏ, ଯାହାଫଳରେ ଆମ୍ବୁଲାନ୍ସଟି ଆଉ ଗାଁ କୁ ଯାଇ ନପାରି ଅଧା ରାସ୍ତାରେ ଅଟକି ଯାଇଥିଲା । ଶେଷରେ ବାଧ୍ଯ ହୋଇ ହତଭାଗା ବାପା ଝିଅକୁ ବଞ୍ଚାଇବା ପାଇଁ, ଝିଅକୁ କାନ୍ଧେଇ କାନ୍ଧେଇ ଦୁଇ କିମି ରାସ୍ତା ଚାଲି, ନାଳ ପାର‌ ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ହେଲେ ସେତେବେଳକୁ ସବୁ ସରିସାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି ।

ଏପରି ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ଥାନା, ଘୁଷୁରାମାଲ ପଂଚାୟତ, କମଳାନାଳି ଗାଁର ସୁଦପଢାରେ। ଏହି ଗାଁ ର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ସାଂଗ ସାଥୀ ସହ ଖେଳୁଥିବା ବେଳେ, ହଠାତ୍ ଅସାବଧାନତା ହେତୁ ଘଟିଯାଇଥିଲା ଏହି ଅଘଟଣ। ସନ୍ଦେହରେ କୁଅରେ ଖୋଜାଯାଇଥିଲା । ହେଲେ ଝିଅକୁ କୂଅରୁ ପାଇ ତୁରନ୍ତ ଉଦ୍ଧାର କରି, ରେଢ଼ାଖୋଲ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ଡକାଇଥିଲେ। ବିଧିର ବିଧାନ ହେଉ ଅବା ସରକାରୀ କଳର ଅବ୍ଯବସ୍ଥା । ୧୦୮ ଆମ୍ବୁଲାନ୍ସ ଆସିଲା ହେଲେ କମଳାନାଳି ଗାଁ କୁ ନାଳ ରାସ୍ତା ଥିବାରୁ ଯାଇ ପାରିଲାନି ଗାଡ଼ି। ଝିଅକୁ ବଞ୍ଚାଇବା ପାଇଁ ବିଚାର ବାପା ମା ଦୁହେଁ ୨କିମି ରାସ୍ତା ଚାଲି, ନାଳ ପାଣିରେ ପଶି ଆମ୍ବୁଲାନ୍ସ ଯାଏ ନେଇଥିଲେ। ହେଲେ କଣ ହେବ ସେତେବେଳକୁ ସବୁ ସରିସାରିଥିଲା । ଝିଅଟିର ପ୍ରାଣ ଚାଲିଯାଇଥିଲା ।

ତେବେ ଏନେଇ ଜାଣିବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି, ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି, ତେବେ ଏଠି ପ୍ରଶ୍ନ ଆଜି ପର୍ଯ୍ୟନ୍ତ ଏହି ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ କାହିଁକି?, ନାଳରେ ପୋଲ କାମ ସରିନି କାହିଁକି? ଆଜି ଯଦି ରାସ୍ତା କିମ୍ବା ପୋଲଟିଏ ଥାଆନ୍ତା ହୁଏତ କୁନି ଝିଅର ଜୀବନ ବଂଚି ଯାଇଥାନ୍ତା।

ରେଢାଖୋଲରୁ ଯଶୋବନ୍ତ ନାରାୟଣ ସାହୁଙ୍କ ରିପୋର୍ଟ , କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.