ଯାଜପୁର ଟାଉନ : ଦାନା ଭିତରେ ମାଆ କୋଳକୁ ଆସିଲା ‘ବାତ୍ୟା’। ଏ ନାଁ ଶୁଣି ଆପଣ ବୋଧହୁଏ ଭାବୁଥିବେ ବାତ୍ୟା କି ନାଁ । ହେଲେ କହିବାକୁ ଚାହିଁବୁ ଯେ ନା, ଇଏ ସେହି ବାତ୍ୟା ନୁହେଁ, ଯିଏ ଭୟଙ୍କର ରୂପ ଧରି ନଷ୍ଟଭ୍ରଷ୍ଟ କରିବ। ଇଏ ହେଉଛି ଆମ କୁନିପୁଅ ‘ବାତ୍ୟା’। ଦାନାର କରାଳ ରୂପ ଭିତରେ ମେଡିକାଲ୍ ବେଡ୍ରେ ମାଆଙ୍କ କୋଳମଣ୍ଡନ କରିଛି ପୁଅ ବାତ୍ୟା। ଆଉ ଗର୍ଭ ଯନ୍ତ୍ରଣା ଭିତରେ ମାଆ ଓଠରେ ଦେଇଛି ମେଞ୍ଚାଏ ହସ।
ବାତ୍ୟା ସମୟରେ ଜନ୍ମଗ୍ରହଣ କରିଥିବା ଶିଶୁ ପୁତ୍ରର ନାମ ବାତ୍ୟା ରଖିଲେ ପରିବାର ଲୋକେ। ଯାଜପୁର ଜିଲ୍ଲା ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୧ ଜଣ ଗର୍ଭବତୀ ମହିଳାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା।
ତେବେ ସେଥିମଧ୍ୟରୁ ୩ ଜଣ ମହିଳା ନବଜାତ ଶିଶୁଙ୍କୁ ଜନ୍ମ ଦେଇଥିବା ଜଣାପଡିଛି । ତେବେ ଉଭୟ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ପୁତ୍ର ଥିବା ଜଣାପଡିଛି। ଗତକାଲି ବାତ୍ୟା ପୂର୍ବରୁ ଗର୍ଭବତୀ ମାନଙ୍କୁ ଯାଜପୁର ଜିଲ୍ଳାର ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ ୧୫୧ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ତେବେ ଏହି ଘଟଣା ଆଜି ଦିନ ତମାମ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ କହିବାକୁ ଚାହିଁବୁ ଯେ କେବଳ ଯାଜପୁର ଜିଲ୍ଲା ନୁହେଁ କଟକ ସାଲେପୁର ଓ ଗଞ୍ଜାମ ଜଗନ୍ନାଥ ପ୍ରସାଦରେ ବାତ୍ୟା ସମୟରେ ଜନ୍ମ ନେଇଛନ୍ତି ଜାଆଁଳା ଛୁଆ । କଟକ ସାଲେପୁରର ରେଶ୍ମା ବେଗମ୍ ଗୋଟେ ପୁଅ ଓ ଗୋଟେ ଝିଅକୁ ଜନ୍ମ ଦେଇଛନ୍ତି । ତେବେ ବାତ୍ୟା ଦାନା ଭିତରେ ରେଶ୍ମା ପିଲା ଦୁଇଟାଙ୍କୁ ଜନ୍ମ ଦେଇଥିବାରୁ ଲୋକେ କହୁଛନ୍ତି ଜଣଙ୍କ ନାଁ ବାତ୍ୟା ଓ ଜଣଙ୍କ ନାଁ ଦାନା ରଖିବାକୁ । ତେବେ କହିବାକୁ ଚାହିଁବୁ ଯେ ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ଯେ ବାତ୍ୟା ଦାନା ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୧୬୦୦ ନବଜାତ । ସମସ୍ତ ମାଆ ଏବଂ ଶିଶୁ ସୁସ୍ଥ ଥିବା ଜଣାପଡିଛି ।