ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ପୁଣି ଜୀବନ ନେଲା ମୁକୁଳା ଡ୍ରେନ । ରାଜଧାନୀ ମୁକୁଳା ଡ୍ରେନ୍ ନେଲା ନାବାଳକଙ୍କ ଜୀବନ । ମୁକୁଳା ଡ୍ରେନରେ ବର୍ଷା ପାଣିରେ ଭାସି ଯାଇଥିଲା ନାବାଳକ । ୟୁନିଟ-୩ ମସଜିଦ କଲୋନୀ ନିକଟ ଡ୍ରେନରେ ଭାସି ଯାଇଥିଲା । ପ୍ରାୟ ଘଣ୍ଟାଏ ପରେ ନାବାଳକକୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ ।

ଡ୍ରେନର ଓଷ୍କାର ସିଟି ପାଖରୁ ଚେତାଶୂନ୍ୟ ଅବସ୍ଥାରେ ନାବାଳକକୁ ଉଦ୍ଧାର କରାଯାଇଥିଲା । ମୃତ ନାବାଳକ ହେଲେ ଏସ.କେ ରାଜେଶ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଥିଲେ ବିଏମସି ମେୟର ସୁଲୋଚନା ଦାସ ।

ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର ଏସ.କେ ରାଜେଶ ଓ ତାଙ୍କ ସାଥୀମାନେ ଡ୍ରେନ ପାଖରେ ଖେଳୁଥିଲେ। ଏହି ସମୟରେ ହଠାତ ବର୍ଷା ହୋଇଥିଲା । ତେବେ ଡ୍ରେନରେ ବେଲୁନ ଭାସୁଥିବା ଦେଖି ଆଣିବାକୁ ଯିବା ବେଳେ ରାଜେଶ ପାଣି ସ୍ରୋତରେ ଭାସି ଯାଇଥିଲେ । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ  ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ପୂର୍ବରୁ ୨୦୨୨ରେ ପତିତପାବନ ନଗରରେ ମୁକୁଳା ଡ୍ରେନରେ ଭାସି ଜଣେ ୧୫ ବର୍ଷିୟ ନାବାଳକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୨୧ରେ ଶତାଦ୍ଦୀ ନଗରରେ ମୁକୁଳା ଡ୍ରେନରେ ଭାସି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିଲା । ନାବାଳକଙ୍କୁ ପାଖାପାଖି ୨୦ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା ।

You might also like