କୁନି ବାବାଙ୍କୁ ଭଗବାନ କହି ପାଦ ତଳେ ତୁଳସୀ ଲାଗି ଘଟଣା, ମାମଲା ରୁଜୁ କଲା ଶିଶୁ ଆୟୋଗ
ଭୁବନେଶ୍ଵର : ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣାରେ ମାମଲା ରୁଜୁ କଲା ଶିଶୁ ଆୟୋଗ । କାରଣ ପ୍ୟାଣ୍ଟସାର୍ଟ ପିନ୍ଧି ଏକ ଚୌକିରେ ବସିଥିବା ବାଳକକୁ ଦିଆଯାଉଛି ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା । ଏଥପାଇଁ ତାଙ୍କ ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି କରାଯାଉଛି । ଏଭଳି କିଛି ଫଟୋ ଦୁଇ ଦିନ ହେବ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ସଙ୍ଗଠନ ଏହାକୁ ତୀବ୍ର ବିରୋଧ କରିଛନ୍ତି । ପରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ।ଏହାସହ ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଆୟୋଗ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଘଟଣାର ତଦନ୍ତ କରିବା ପାଇଁ CWCକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ ଫଟୋରେ ପୂଜା କରାଯାଉଥିବା ପିଲାଟି ଭାଷ୍ୟକାର କାଶୀନାଥ ମିଶ୍ରଙ୍କ ପୁଅ । ବୟସ ପାଖାପାଖି ୧୭ ବର୍ଷ ହେବ । ଭଗବାନଙ୍କ ଭଳି ତୁଳସୀ ଓ ମୟୂର ଚୂଳ ପିନ୍ଧି ସଜେଇ ହୋଇଥିଲେ । ତାଙ୍କୁ ଲୋକ ଭଗବାନ ଭାବି ପୂଜା ବି କରୁଥିଲେ । ଖଣ୍ଡଗିରି ଅଞ୍ଚଳର ବୈକୁଣ୍ଠ ଧାମ ସେବାଶ୍ରମରେ ଏଭଳି ଜଣେ ବାବା ଉଭା ହୋଇଥିଲେ । ତାଙ୍କୁ ବାବା ସଜାଇ ଲୋକଙ୍କୁ ରୋଜଗାର କରୁଥିବା କଥା ଅଭିଯୋଗ କରିଥିଲେ ସମାଜସେବୀ ମହାସଂଘ ।
ଏନେଇ ଗତକାଲି ଭରତପୁର ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲା ସମାଜସେବୀ ମହାସଂଘ । ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଥିଲା । ସଙ୍ଗଠନର ଅଭିଯୋଗକୁ ଆଧାର କରି ବୈକୁଣ୍ଠ ଧାମ ସେବାଶ୍ରମରେ ତନାଘନା କରିଛି ପୋଲିସ ।