ବାପା ମାଆ ଛେଉଣ୍ଡ ଅନାଥ ୫ ଶିଶୁଙ୍କ ପାଇଁ ସାହାରା ହେଲେ ଶିଶୁ ମଙ୍ଗଳ ସମିତି
ଉଦଳା : ବାପା ଓ ମାଆ ଚାଲିଗଲା ପରେ ଅନାଥ ହୋଇଯାଇଥିଲେ ୫ ଶିଶୁ । ଗଣ୍ଡାଏ ଖାଇବା ଓ ବଞ୍ଚିବା ପାଇଁ କରୁଥିଲେ ସଂଗ୍ରାମ । ୧୦ ବର୍ଷର ଝିଅ ଜେମା ସିଂ ପର ଘରେ କାମ କରି ତାର ଭାଇ ଓ ଭଉଣୀ ମାନଙ୍କ ପାଇଁ ସାହାରା ପାଇଟିଥିଲା । କାହିଁକି ନା ବାପା ଓ ମାଆ ଚାଲି ଗଲା ପରେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ରହିଥିଲେ ଏମାନେ । ଏନେଇ କେ ନିୟୁଜରେ ଖବର ପରିବେଷଣ ହୋଇଥିଲା ।
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରାଣୀପୋଖରୀ ପଞ୍ଚାୟତ ପ୍ରଧାନ ସାହି ଗ୍ରାମର ଅସହାୟ ଏହି ୫ ଅନାଥ ଶିଶୁଙ୍କ ଦୁଃଖ ବିଷୟରେ ଆମେ ଆପଣମାନଙ୍କୁ ଜଣାଇଥିଲୁ । କେମିତି ଗ୍ରାମର କୃପା ସିଂଙ୍କ ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ମୁତୁଲୁ ଦୁଇ ମାସ ହେବ ଅଜଣା ରୋଗରେ ଆରପାରିକୁ ଚାଲିଗଲେ ଆଉ ତାପରେ ଏଇ ବାପା ମାଆ ଛେଉଣ୍ଡ ହୋଇ ଅନାଥ ପିଲା ମାନେ ଓଳିଏ ଖାଇଲେ ଓଳିଏ ଉପବାସ ରହୁଥିଲେ ତାର କରୁଣ ଛବି ଆପଣଙ୍କ ପାଖରେ ପହଁଚାଇଥିଲୁ ।
ଏ ନେଇ ଜାଣିବା ପରେ ଉକ୍ତ ଗ୍ରାମକୁ ବାରିପଦା ଶିଶୁ ମଙ୍ଗଳ ସମିତିର ଏକ ଟିମ୍ ଯାଇ ପହଁଚିଥିଲେ । ୫ ଅନାଥ ଶିଶୁଙ୍କ ମଧ୍ୟରୁ ୩ଜଣଙ୍କର ଦାୟିତ୍ଵ ନେଇଛି ଶିଶୁ ମଙ୍ଗଳ ସମିତି । ସେମାନେ କିପରି ରହିବେ ଓ ପାଠ ପଢିବେ ଏହାସହ ୧୮ବର୍ଷ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ସେମାନେ ନେବେ ବୋଲି ଶିଶୁ ମଙ୍ଗଳ ସମିତି ସଦସ୍ୟ ପ୍ରକାଶ କରିଛନ୍ତି ।